fbpx

ଆଗାମୀ ମ୍ୟାରେଜ ସିଜନରେ ୩୫ ଲକ୍ଷ ହୋଇପାରେ ବିବାହ, ୪.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବ୍ୟବସାୟ!

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହୋଇସାରିଛି । ଏଥିରେ ଅଧିକରୁ ଅଧିକ ବ୍ୟବସାୟ ହେବାର ଆଶା ରଖାଯାଇଛି । ହେଲେ ଏହି ପାର୍ବଣ ଋତୁ ସରିବା ମାତ୍ରେ ବିବାହ ସିଜନ ଆରମ୍ଭ ହୋଇଯିବ । ତେବେ ଏହି ଆଗାମୀ ବିବାହ ସିଜନରେ ବ୍ୟବସାୟୀମାନଙ୍କଠୁ ନେଇ ଦେଶର ଅର୍ଥବ୍ୟବସ୍ଥାକୁ ଅଧିକ ପରିମାଣରେ ଲାଭ ହେବ ବୋଲି କୁହାଯାଉଛି । ୨୩ ନଭେମ୍ବର ୨୦୨୩ରେ ବିବାହର ସିଜନ ଆରମ୍ଭ ହୋଇଯାଉଛି । ଯାହା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ତେବେ ଅନୁମାନ ଅନୁଯାୟୀ, ଏହି ବିବାହ ଋତୁରେ ୩୫ ଲକ୍ଷରୁ ଅଧିକ ବିବାହ ହେବାର ଅଛି । ବିବାହ ପାଇଁ କିଣାକିଣି ଠାରୁ ନେଇ ବିବାହରେ ଆବଶ୍ୟକୀୟ ସର୍ଭିସେସ ଉପରେ ୪.୨୫ ଲକ୍ଷ ଟଙ୍କାର ବ୍ୟବସାୟ ଏହି ସିଜନରେ ହେବାର ଅନୁମାନ ରହିଛି ।

କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଏହି ଡାଟା ଜାରି କରିଛନ୍ତି । କ୍ୟାଟର ସାଧାରଣ ସଂପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, କ୍ୟାଟ ରିସର୍ଚ୍ଚ ଶାଖା କ୍ୟାଟ ରିସର୍ଚ୍ଚ ଏଣ୍ଡ ଟ୍ରେଡ ଡେଭେଲପମେଣ୍ଟ ସୋସାଇଟି ଦ୍ୱାରା ଦେଶର ୨୦ ପ୍ରମୁଖ ସହରର ବ୍ୟବସାୟୀ ଏବଂ ସର୍ଭିସ ପ୍ରୋଭାଇଡର ମଧ୍ୟରେ ଏକ ସର୍ଭେ କରାଯାଇଛି । ସର୍ଭେ ମୁତାବକ ରାଜଧାନୀ ଦିଲ୍ଲୀର ଏହି ସିଜନରେ ୩.୫ ଲକ୍ଷରୁ ଅଧିକ ବିବାହ ହେବାର ଆକଳନ କରାଯାଇଛି, ଯେଉଁଥିରେ ଦିଲ୍ଲୀର ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବାର ସମ୍ଭାବନା ରହିଛି । ଗତବର୍ଷ ଏହି ଅବଧିରେ ପାଖାପଖି ୩୨ ଲକ୍ଷ ବିବାହ ହୋଇଥିଲା ଏବଂ ଏଥିରୁ ୩.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାର ଆଶଙ୍କା କରାଯାଇଥିଲା ।

ପାଖାପାଖି ୬ ଲକ୍ଷ ବିବାହରେ ପ୍ରତି ବିବାହ ପିଛା ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଇଛି । ୧୦ ଲକ୍ଷ ବିବାହରେ ପାଖାପାଖି ୬ ଲକ୍ଷ ଟଙ୍କା, ୧୨ ଲକ୍ଷ ବିବାହରେ ୧୦ ଲକ୍ଷ ଟଙ୍କା, ୬ ଲକ୍ଷ ବିବାହରେ ପ୍ରତି ବିବାହ ପିଛା ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୫୦ ହଜାର ବିବାହରେ ୫୦ ଲକ୍ଷ ଟଙ୍କା ଏବଂ ୫୦ ହଜାର ବିବାହରେ ୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ବୋଲି ଆକଳନ କରାଯାଇଛି । ଗୋଟିଏ ମାସର ଏହି ବିବାହ ସିଜନରେ କିଣାକିଣି ଏବଂ ସର୍ଭିସେଜରେ ୪.୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ।

Get real time updates directly on you device, subscribe now.