ନୂଆଦିଲ୍ଲୀ: ଟ୍ୱିଟର ତଥା ‘ଏକ୍ସ’କୁ ନେଇ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ନୂଆ ଆକାଉଣ୍ଟ ଖୋଲିଲେ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ପଡ଼ିବ । ସମସ୍ତ ୟୁଜର୍ସଙ୍କ ପାଇଁ କମ୍ପାନୀ ଏକ ପେଡ ପ୍ଲାଟଫର୍ମ ଆଡ଼କୁ ଗତି କରୁଥିବା ଏକ ଲାଇଭ୍ ଷ୍ଟ୍ରମିଂ ଅବସରରେ ଏଲନ ଘୋଷଣା କରିଛନ୍ତି । ତେବେ ଏଲନଙ୍କ ଏହି ଘୋଷଣା ପରେ ଅନେକ ୟୁଜର୍ସ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।
ଏଲନ ମସ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ସେଥିରେ ଅନେକ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କମ୍ପାନୀ ଭେରିଭିକେସନ ବ୍ୟାଜ ଓ କିଛି ଖାସ୍ ସେବା ପାଇଁ ପେଡ୍ ଭର୍ସନ ଅଫର କରୁଥିବା ବେଳେ ଦୁଇଟି ଦେଶରେ ନୂଆ ୟୁଜର୍ସଙ୍କ ଆକାଉଣ୍ଟ ତିଆରି କରିବା ପାଇଁ ଚାର୍ଜ ଲଗାଇବା ଆରମ୍ଭ କରିଦେଇଛି । ଦୁଇଟି ଦେଶରେ ଏହି ନୂଆ ପ୍ରୋଗ୍ରାମକୁ କମ୍ପାନୀ ଟେଷ୍ଟ କରୁଥିବା ବେଳେ ତା’ର ନାମ ‘ନଟ୍ ଏ ବୋଟ’ର ରଖାଯାଇଛି ।
ଏହି ନୂଆ ପ୍ରୋଗ୍ରାମକୁ କମ୍ପାନୀ ନ୍ୟୁଜିଲାଣ୍ଡ ଓ ଫିଲିପାଇନ୍ସ ଦୁଇ ଦେଶରେ ଆରମ୍ଭ କରିଛି । ଏହି ଦେଶଗୁଡ଼ିକରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ନୂଆ ଆକାଉଣ୍ଟ କ୍ରିଏଟ କଲେ ୟୁଜର୍ସଙ୍କୁ ୧ ଡଲାର ଫିସ୍ ଦେବାକୁ ପଡ଼ିବ । ଏହି ଫିସ୍ ଅନ୍ୟ ୟୁଜର୍ସଙ୍କ ସହିତ ଇଣ୍ଟରଫ୍ୟାକ୍ଟ କରିବା ପାଇଁ ନିଆଯାଉଛି । ‘ନଟ୍ ଏ ବୋଟ’ ପ୍ରୋଗ୍ରାମ ମାଧ୍ୟମରେ ୟୁଜର୍ସଙ୍କୁ ସର୍ବପ୍ରଥମେ ନିଜର ମୋବାଇଲ ନମ୍ବର ଭେରିଫାଏ କରିବାକୁ ପଡ଼ିଥାଏ । ନୂଆ ୟୁଜର୍ସଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥାଏ । ଯେତେବେଳେ ଜଣେ ୟୁଜର ଫୋନ ନମ୍ବର ଫେରିଭାଏ କରନ୍ତି, ତାଙ୍କୁ ଏକ ସବସ୍କ୍ରିପସନ ପ୍ଲାନ ବାଛିବାକୁ ପଡ଼ିଥାଏ । ସେଥିପାଇଁ ୟୁଜରଙ୍କ ନିକଟରେ ତିନୋଟି ବିକଳ୍ପ ୧ ଡଲାର ପ୍ଲାନ, ଏକ୍ସ ପ୍ରିମିୟମ ଓ ଭେରିଫାଏଡ୍ ଅର୍ଗାନାଇଜେସନ ରହିଥାଏ । ନୂଆ ୟୁଜର୍ସ ଏହି ପ୍ଲାଟଫର୍ମରେ ନୂଆ ଆକାଉଣ୍ଟ କ୍ରିଏଟ କଲେ ତାଙ୍କୁ ସୀମିତ ଆକ୍ସେସ ମିଳିବ । ୟୁଜର୍ସ କେବଳ ଅନ୍ୟ ୟୁଜର୍ସଙ୍କର ପୋଷ୍ଟ ପଢ଼ିପାରିବେ, ଭିଡିଓ ଦେଖିପାରିବେ ଓ ଅନ୍ୟମାନଙ୍କୁ ଫଲୋ କରିପାରିବେ ।