ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦକୁ ଗୁଳିକରି ହତ୍ୟା

ନୂଆଦିଲ୍ଳୀ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ଗୁଳି କରି ହତ୍ୟା କରାଯାଇଛି । ଲସ୍କର-ଏ-ଜବାରର ପ୍ରତିଷ୍ଠାତା ଦାଉଦ ମଲିକକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଥିବା ଏକ ପାକିସ୍ତାନୀ ମିଡ଼ିଆ ପକ୍ଷରୁ କୁହାଯାଇଛି । ଦାଉଦକୁ କିଛି ମୁଖାପିନ୍ଧା ଅଜଣା ଆତତାୟୀମାନେ ହତ୍ୟା କରିଛନ୍ତି । ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲାର ମିରାଲି ଅଞ୍ଚଳରେ ଏହି ଘଟଣା ଘଟିଥିଲା ।

ସୂଚନା ମୁତାବକ, ଦୁର୍ବୃତ୍ତମାନେ ଦାଉଦକୁ ସକାଳ ସମୟରେ ଗୁଳି କରିଥିଲେ । ମୁଖା ପିନ୍ଧିଥିବା କିଛି ବ୍ୟକ୍ତି ଏକ ଘରୋଇ କ୍ଲିନିକରେ ଏହି ହତ୍ୟାକାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଦାଉଦ ଭାରତ ପାଇଁ ଅନ୍ୟତମ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ରହିଥିବା ବେଳେ ସେ ଅନ୍ୟତମ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାସୁଦ ଆଝାରର ଘନିଷ୍ଠ ବୋଲି କୁହାଯାଏ ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ପାକିସ୍ତାନରେ ଏକାଧିକ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ଗୁଳି କରି ହତ୍ୟା କରିଥିବା ଦେଖାଯାଇଛି । ୧୦ ଦିନ ପୂର୍ବରୁ ପଠାନକୋଟ୍ ଆକ୍ରମଣର ମାଷ୍ଟରମାଇଣ୍ଡ ରସିଦ ଲତିଫକୁ ମଧ୍ୟ ପାକିସ୍ତାନରେ ଗୁଳିକରି ହତ୍ୟା କରାଯାଇଥିଲା । ସେହିପରି ଜମ୍ମୁ କଶ୍ମୀରର କୁପବାଡ଼ା ଜିଲ୍ଲାରେ ରହୁଥିବା ବସୀର ଅହମଦ ପୀର ଓରଫ ଇମତିଆଜ ଆଲମକୁ ପାକିସ୍ତାନରେ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ । ଗତ ବର୍ଷ ଫେବୃଆରୀ ୨୨ରେ ଏଜାଜ ଅହମଦ ଅହଙ୍ଗରକୁ କାବୁଲରେ ହତ୍ୟା କରାଯାଇଥିଲା । ଗତବର୍ଷ ଫେବୃଆରୀରେ ୨୬ରେ ଅଲ ବଦ୍ରର ପୂର୍ବ କମାଣ୍ଡର ସୟଦ ଖାଲିଦ ରଜାକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଥିଲା । ଗତବର୍ଷ ମାର୍ଚ୍ଚ ୩ରେ ସୟଦ ନୂର ଶାଲୋବରକୁ ପାକିସ୍ତାନରେ ହତ୍ୟା କରାଯାଇଥିଲା । ପାକିସ୍ତାନ ଅଧିକୃତ କଶ୍ମୀରର ରାଜଧାନୀ ମୁଜାଫରବାଦ ଠାରୁ ୧୩୦ କିମି ଦୂର ରାବଲକୋଟରେ ଏକ ମସଜିଦରେ ନମାଜ ପଢ଼ୁଥିବା ସମୟରେ ଆତଙ୍କବାଦୀ ମହମ୍ମଦ ରିୟାଜକୁ ହତ୍ୟା କରାଯାଇଥିଲା ।