ବଳାତ୍କାର ମାମଲାକୁ ରଦ୍ଦ କରିଦେଲେ ହାଇକୋର୍ଟ, କହିଲେ ବିବାହର ପ୍ରତିଶ୍ରୁତି ପାଇ ଜଣେ ପୁରୁଷ ସହ ଶାରୀରିକ ସଂପର୍କ ରଖିବା ସବୁଠାରୁ ବଡ ମୁର୍ଖାମୀ

ନୂଆଦିଲ୍ଲୀ:ବିବାହର ମିଛ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ ଟିପ୍ପଣୀ ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟ କହିଛନ୍ତି କୌଣସି ବି ବୁଦ୍ଧିମାନ ମହିଳା କେବଳ ଏହି ପ୍ରତିଶ୍ରୁତି ଆଧାରରେ କୌଣସି ପୁରୁଷ ସହିତ ଏକାଠି ୨ବର୍ଷ ସମୟ କାଟିପାରିବ ନାହିଁ । ଯେତେବେଳେ ଏହି ମାମଲାରେ ସଂପୃକ୍ତ ମହିଳାଙ୍କୁ ଜଣାଥିଲା କି ବିବାହର ସମ୍ଭାବନା ବହୁତ କମ୍ ରହିଛି ସେତେବେଳେ ମହିଳା ପୁରୁଷଙ୍କ ସହ ସଂପର୍କ ରଖିବା ମୁର୍ଖାମୀର ପରିଚୟ । ତେଣୁ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ମନା କରିଦେଇଛନ୍ତି ।

ବିଚାରପତି ଶ୍ରୀନିବାସ ରେଡ୍ଡୀ ମାମଲାର ଶୁଣାଣୀ କରୁଥିଲେ । କୋର୍ଟ କହିଛନ୍ତି ଯେତେବେଳେ ମହିଳା ଜାଣିଥିଲେ କି ସେମାନଙ୍କ ବିବାହର ସମ୍ଭାବନା ବହୁତ କମ୍ ରହିଛି ଏ କ୍ଷେତ୍ରରେ କୌଣସି ବି ବୁଦ୍ଧିମାନ ମହିଳା ସହମତି ଦେବ ନାହିଁ । ଯେତେବେଳେ ପୁରୁଷ ଜଣେ ଯୁବତୀଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଉଛି ସେତେବେଳେ ସେହି ଯୁବତୀ ବା ମହିଳା ତାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ପରୀକ୍ଷା କରିବା ଲାଗି ଏକ ସୀମାରେଖା ଧାର୍ଯ୍ୟ କରିବା ଉଚିତ । କେବଳ ବିବାହର ପ୍ରତିଶ୍ରୁତି ଦେଇଥିବାରୁ ଜଣେ ପୁରୁଷ ସହ କୌଣସି ମହିଳା ୨ ବର୍ଷ ପର୍ଯ୍ୟନ୍ତ ସମୟ ବିତାଇବା ସବୁଠାରୁ ବଡ ମୁର୍ଖାମୀ ।

ବାର୍ ଆଣ୍ଡ ବେଞ୍ଚର ଏକ ରିପୋର୍ଟ ଅନୁସାରେ ଅଭିଯୋଗକାରିଣୀ ଜଣେ ଉଚ୍ଚଶିକ୍ଷିତା ମହିଳା । ସେ ଏପରି କାର୍ଯ୍ୟର ପରିଣାମ ବିଷୟରେ ଭଲ ଭାବେ ଅବଗତ । କୋର୍ଟ କହିଛନ୍ତି ଅଭିଯୋଗକାରିଣୀ ଜାଣିଥିଲେ କି ଉଭୟଙ୍କ ମଧ୍ୟରେ ବିବାହ ସମ୍ଭବ ନୁହେଁ କାରଣ ଉଭୟ ଅଲଗା ଜାତିର ଅଟନ୍ତି ।
ଏହି ମାମଲାରେ କୋର୍ଟ ଅଭିଯୁକ୍ତ ବିରୁଦ୍ଧରେ କରାଯାଇଥିବା ବଳାତ୍କାର ଅଭିଯୋଗକୁ ରଦ୍ଦ କରିଦେଇଛନ୍ତି ଓ ତାଙ୍କ ଉପରେ ଲାଗିଥିବା ଅନ୍ୟ ଅଭିଯୋଗର ଯାଞ୍ଚ ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.