fbpx

ଆଉ ଏକ ଯୁଗର ଅବସାନ: ମୁମ୍ବାଇରେ ଚାଲିବନି କଳା-ହଳଦିଆ ଟ୍ୟାକ୍ସି

Advertisement

ମୁମ୍ବାଇ: ସରିଲା କଳା ହଳଦିଆ ଯୁଗ । ଗତ ୬ ଦଶନ୍ଧି ଧରି ଚାଲିଥିବା ଏକ ଯୁଗର ଘଟିଛି ଅବସାନ ଘଟିଛି । ମାୟାନଗରୀ ମୁମ୍ବାଇରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ସେବାକୁ ଶେଷରେ ବନ୍ଦ କରିଦିଆଯାଇଛି । ସାଧାରଣ ଟ୍ୟାକ୍ସି ଭାବରେ ବ୍ୟବହାର କରାଯାଉଥିବା ପ୍ରିମିୟର ପଦ୍ମିନୀକୁ ଗତକାଲି ମୁମ୍ବାଇ ରାଜରାସ୍ତାରୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଏହା ପାଲଟିଛି ମୁମ୍ବାଇ ସହରର ଇତିହାସ ।

ଗତ ୨୦୦୧ରେ ମହାରଷ୍ଟ୍ର ସରକାର ଗାଡ଼ିମାନଙ୍କ ପଞ୍ଜୀକରଣକୁ ନେଇ ନୂତନ ନିୟମ ପ୍ରଣୟନ କରିଥିଲେ । ଏହା ଅନୁସାରେ ୨୫ ବର୍ଷ ପୁରୁଣା ଗାଡ଼ି ମୁମ୍ବାଇ ରାଜରାସ୍ତାରେ ଚଲିବା ନେଇ କଟକଣା ଲାଗୁ ହୋଇଥିଲା । ତେବେ ଏହାର ଅବଧି ପରେ କମାଯାଇ ୨୦ ବର୍ଷ କରାଯାଇଥିଲା । ତେବେ ଏହି ଟ୍ୟାକ୍ସିର ବନ୍ଦ ହେବା ପଛରେ ଏକ ବଡ଼ କାରଣ ହେଲା ଏହାର ଯନ୍ତ୍ରାଂଶ ସହଜରେ ନମିଳିବା । ୨୦୦୧ରେ ଏହାର ଉତ୍ପାଦନ ମଧ୍ୟ ବନ୍ଦ କରିଦିଆଯାଇଥିଲା ।

୧୯୬୪ରେ ଆରମ୍ଭ ହୋଇଥିବା ଏହି ଟ୍ୟାକ୍ସି ପ୍ରଥମେ ଫିଆଟ ୧୧୦୦ ଡିଲାଇଟ ଥିଲା । ପରେ ଏହାକୁ ୧୯୭୦ରେ ରାଣୀ ପଦ୍ମିନୀଙ୍କ ନାଁ ଅନୁସାରେ ପ୍ରିମିୟର ପଦ୍ମିନୀ ବୋଲି ନାମିତ କରାଯାଇଥିଲା । ତେବେ ଏହି ଟ୍ୟାକ୍ସି ୯୦ ଦଶକରେ ବେଶ ଲୋକପ୍ରିୟ ଥିଲା । ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ବଲିଉଡ଼ ପର୍ଯ୍ୟନ୍ତ, ସବୁଠି ଏହାର ସମ୍ପର୍କ ନିବିଡ଼ । “ନୋ ଦୋ ଗ୍ୟାରହ’, “ଖାଲି ପିଲି’, “ଆ ଅବ ଲୌଟ ଚଲେଁ’ ପରି ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାରେ ମଧ୍ୟ ସମର୍ଥ ହୋଇଛି ।

ତେବେ ୯୦ ଦଶକରେ ଏହି ଟ୍ୟାକ୍ସିର ପରିମାଣ ୬୩ ହଜାର ଥିଲା ବେଳେ ବର୍ତ୍ତମାନ ଏହା ୪୦ ହଜାରକୁ ଖସି ଆସିଥିଲା । ତେବେ ସ୍ମାରକ ସ୍ୱରୂପ ଗୋଟିଏ ଟ୍ୟାକ୍ସିକୁ ସଂରକ୍ଷିତ କରି ରଖିବା ପାଇଁ ମୁମ୍ବାଇ ଟ୍ୟାକ୍ସିମ୍ୟାନ ୟୁନିଅନ ଆବେଦନ କରିଥିଲେ ହେଁ ତାହା ଅଗ୍ରାହ୍ୟ ହୋଇ ଯାଇଥିଲା ।

Get real time updates directly on you device, subscribe now.