ପ୍ରଥମ ଥର ଜାତିସଂଘରେ ଇସ୍ରାଏଲ ବିରୁଦ୍ଧରେ ଭୋଟ ଦେଲା ଭାରତ, ଜାଣନ୍ତୁ କ’ଣ ଥିଲା ପ୍ରସ୍ତାବ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୩୭ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଜାତିସଂଘରେ ଏକ ପ୍ରସ୍ତାବ ଅଣାଯାଇଛି । ଏହି ମାମଲାରେ ଭାରତ ପ୍ରଥମ ଥର ଭୋଟ ଦେଇଛି । ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ବସ୍ତି ବସାଇବା ବିରୋଧରେ ଏକ ପ୍ରସ୍ତାବ ଜାତିସଂଘରେ ଉପସ୍ଥାପନ କରାଯାଇଥିଲା । ଭାରତ ଏହି ପ୍ରସ୍ତାବର ସମର୍ଥନରେ ଭୋଟ କରିଛି ଅର୍ଥାତ୍ ଭାରତ ପ୍ରଥମ ଥର ଲାଗି ଇସ୍ରାଏଲ ବିରୁଦ୍ଧରେ ଭୋଟ କରିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଯେବେଠାରୁ ଇସ୍ରାଏଲ ଓ ହମାସ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ ହୋଇଛି ଜାତିସଂଘରେ ଆସିଥିବା ବିଭିନ୍ନ ପ୍ରସ୍ତାବରେ ଭାରତ ଭୋଟଦାନରୁ ବିରତ ରହିଛି । ଭାରତ ହମାସ ଆତଙ୍କବାଦୀଙ୍କ ନିନ୍ଦା ବହୁ ସମୟରେ କରିଛି । ଏହା ସହିତ ଗାଜାରେ ମାନବୀୟ ସହାୟତା ଲାଗି ମଧ୍ୟ ଯୁକ୍ତି ବାଢିଛି ।

ତେବେ ଜାତିସଂଘରେ ପ୍ରଥମ ଥର ଭାରତ ଇସ୍ରାଏଲର ବସ୍ତି ବିରୁଦ୍ଧରେ ଭୋଟ ଦେଇଛି । ଏହି ଭୋଟିଂରେ ମୋଟ ୧୪୫ ଦେଶ ଭାଗ ନେଇଥିଲେ । ୧୮ ଦେଶ ଭୋଟିଂରେ ଅନୁପସ୍ଥିତ ଥିଲେ । ଆମେରିକା, ହଙ୍ଗେରୀ, କାନାଡା ଆଦି ଦେଶ ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେଇଛନ୍ତି । ଭାରତ ସରକାରଙ୍କ ଏପରି ନୀତିକୁ ଟିଏମସି ନେତା ସାକେତ ଗୋଖେଲ ପ୍ରଶଂସା କରିଛନ୍ତି । ଗୋଖଲେ କହିଛନ୍ତି ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ଅବୈଧ ରୂପରେ ବସ୍ତି ନିର୍ମାଣ କରିବା ଠିକ୍ ନୁହେଁ । ଏବେ ଏସବୁ ବିବାଦ ସମାପ୍ତ ହେବା ଉଚିତ ।

ଅକ୍ଟୋବର ୭ରେ ହମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏଥିରେ ୧୨୦୦ ଲୋକ ମୃତ୍ୟୁବରଣ କରିଥିଲେ । ଏହାପର ଠାରୁ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖିଛି । ବହୁ ଦେଶର ପପରାମର୍ଶ ସତ୍ତ୍ୱେ ଇସ୍ରାଏଲ ଯୁଦ୍ଧ ବିରାମ ଲାଗି ପ୍ରସ୍ତୁତ ନାହିଁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି ଯେ ପର୍ଯ୍ୟନ୍ତ ହମାସକୁ ସଂପୂର୍ଣ୍ଣ ଭାବରେ ଧ୍ୱଂସ କରିନାହାନ୍ତି ସେ ପର୍ଯ୍ୟନ୍ତ ଯୁଦ୍ଧ ବିରାମ ହେବ ନାହିଁ ।