ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ଜିତି ପାରିବନି World Cup: ୫ଟି କାରଣ ପାଇଁ ବଢୁଛି ଆଶଙ୍କା

ନୂଆଦିଲ୍ଲୀ: ଭଲ ଆରମ୍ଭ ପରେ ମଧ୍ୟ ବିଶ୍ୱକପ-୨୦୨୩ରୁ ବାଦ୍ ପଡ଼ିଛି ପାକିସ୍ତାନ କ୍ରିକେଟ ଟିମ୍ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିବାରେ ଅସମର୍ଥ ହୋଇଛି ବାବର ସେନା । ତେବେ କେବଳ ଚଳିତବର୍ଷ ନୁହେଁ, ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ବିଶ୍ୱକପ ସେମି ଫାଇନାଲରେ ପହଞ୍ଚିବା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି । ଏଭଳି କହିବା ପଛରେ ୫ଟି ବଡ଼ କାରଣ ମଧ୍ୟ ରହିଛି । ଏହି ୫ଟି ସମସ୍ୟା ପାଇଁ ପାକିସ୍ତାନ ଆଗାମୀ ବିଶ୍ୱକପରେ ଲଗାତାର ବିଫଳ ହେବାର ସମ୍ଭାବନା ଦେଖାଦେଇଛି ।

ଦୁର୍ବଳ ନେତୃତ୍ୱ: ପାକିସ୍ତାନ ଦଳ ନିକଟରେ ବର୍ତ୍ତମାନ ନେତୃତ୍ୱରେ ସାମାନ୍ୟ ଦୁର୍ବଳ ହେଉଛି । ବାବର ଆଜମଙ୍କୁ ଅଧିନାୟକ ପଦ ମିଳିଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ କିଛି ସମସ୍ୟା ଯୋଗୁଁ ସମଗ୍ର ଦଳ ଉପରେ ଏହାର ପ୍ରଭାବ ପକାଉଛି । ବିଶ୍ୱକପ-୨୦୨୩ରେ ଅନେକ ଥର ପଡ଼ିଆରେ ବାବରଙ୍କ ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହୋଇଛି । ଫଳରେ ବିରୋଧୀ ଦଳ ବାବର ସେନା ଉପରେ ଭାରୀ ପଡ଼ିଛନ୍ତି । ଏଭଳି ନିଷ୍ପତ୍ତି ଯୋଗୁଁ ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି ପାକିସ୍ତାନ ।

ଅଧିନାୟକ-ବୋର୍ଡ ମଧ୍ୟରେ ମତପାର୍ଥକ୍ୟ: ପାକିସ୍ତାନ ଦଳ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଦେଶର କ୍ରିକେଟ ବୋର୍ଡ । ପିସିବିରେ ବାରମ୍ବାର ପରିବର୍ତ୍ତନ ଯୋଗୁଁ କୌଣସି ଅଧିନାୟକ କିମ୍ବା ଖେଳାଳି ଏଠାରେ ସୁରକ୍ଷିତ ମନେ କରୁ ନାହାନ୍ତି । ନିକଟରେ କ୍ରିକେଟ ବୋର୍ଡର ଚେୟାରମ୍ୟାନ ପରିବର୍ତ୍ତନ ହୋଇଥିବା ବେଳେ ଜକା ଅଶରଫ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ଅଶରଫ-ବାବରଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ନେଇ ଅନେକ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ବିଶ୍ୱକପରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବର୍ତ୍ତମାନ ବାବରଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ମଧ୍ୟ ଆଲୋଚନା ହେଥିବା ଜାଣିବାକୁ ମିଳିଛି ।

ଖେଳାଳିଙ୍କ ଭିତରେ ଫାଟ: କୌଣସି ଟିମ୍ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଦଳର ଖେଳାଳିମାନଙ୍କ ସହଯୋଗ ଏବଂ ଏକତା ରହିବା ଆବଶ୍ୟକ । କିନ୍ତୁ ପାକିସ୍ତାନ କ୍ରିକେଟ ଏକ୍ସପର୍ଟ କହିଛନ୍ତି ଯେ, ଶାହୀନ ଏବଂ ବାବରଙ୍କ ମଧ୍ୟରେ ମତପାର୍ଥକ୍ୟ ରହିତିବା ଅନୁମାନ କରାଯାଉଛି । ନିକଟରେ ଶାହୀନଙ୍କ ଭାଇ ବାବରଙ୍କ ବିରୋଧରେ କରିଥିବା ଏକ ପୋଷ୍ଟକୁ ସେ ଲାଇକ କରିଥିଲେ । ସେପଟେ ବାବରଙ୍କ ପରେ ଶାହୀନଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ମଧ୍ୟ କୁହାଯାଉଛି ।

ଦୁର୍ବଳ ସନ୍ତୁଳନ: ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାସଲ କରିବା ପାଇଁ ଦଳରେ ସନ୍ତୁଳନ ରହିବା ନିହାତି ଆବଶ୍ୟକ, ଯାହା ପାକିସ୍ତାନ ଦଳରେ ଆବ ଦେଖା ଦେଇଛି । ନସୀମ ଶାହ ଆହତ ଯୋଗୁଁ ବାଦ୍ ପଡ଼ିବା ପରେ ଦଳର ସନ୍ତୁଳନ ବିଗିଡ଼ି ଯାଇଛି । ପାକିସ୍ତାନ ଦଳରେ ଭଲ ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ପାୱାର ହିଟର୍ସଙ୍କ ଅଭାବ ପରିଲକ୍ଷିତ ହେଉଛି । ସ୍ପିନ ବୋଲିଂ ୟୁନିଟରେ ମଧ୍ୟ ପାକିସ୍ତାନ ଦୁର୍ବଳ ରହିଛି । ତେଣୁ ପାକିସ୍ତାନକୁ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

ମାନସିକ ଶକ୍ତି: କ୍ରିକେଟକୁ ମାଇଣ୍ଡଗେମ୍ ବୋଲି ମଧ୍ୟ କୁହାଯାଏ । ଛୋଟ ଭୁଲ ପାଇଁ କୌଣସି ମ୍ୟାଚ ଏବଂ ସିରିଜ ମଧ୍ୟ ହରାଇପାରନ୍ତି ଦଳ । ବଡ଼ ପ୍ଲାଟଫର୍ମରେ ଏବଂ ଶକ୍ତିଶାଳୀ ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାକିସ୍ତାନକୁ ଶିଖିବାକୁ ପଡ଼ିବ । ମ୍ୟାଚରେ ସାମାନ୍ୟ ଚାପ ବଢିଲେ ଦଳ ସମ୍ପୂର୍ଣ୍ଣ ଭାବରେ କମଜୋର ହୋଇଯିବା ସହ ପ୍ରଦର୍ଶନ ମଧ୍ୟ ଖରାପ ହୋଇଯାଏ । ତେଣୁ ପାକିସ୍ତାନ ଦଳରେ ନିଜର ମାନସିକ ସନ୍ତୁଳନ ଏବଂ ମାନସିକ ଶକ୍ତିକୁ ନିୟନ୍ତ୍ରଣ ରଖିବା ଶିଖିବାକୁ ପଡ଼ିବ । ତେବେ ଏହି ସବୁ ସମସ୍ୟାକୁ ସମାଧାନ କରିପାରିଲେ ହିଁ, ପାକିସ୍ତାନ ବଡ଼ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ସମର୍ଥ ହୋଇପାରିବ । ନଚେତ୍ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପରାଜୟର ସାଗନା କରୁଥିବା ପାକିସ୍ତାନ କ୍ରିକେଟ ଟିମ୍ ।