ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପକୁ ନେଇ ଏକ ବଡ଼ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । ଆଗାମୀ ବିଶ୍ୱକପ ପାଇଁ ଶ୍ରୀଲଙ୍କାକୁ ବାଦ୍ ଦେଇଛି ଆଇସିସି ବୋର୍ଡ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ହାତୁର ଆଇସିସି ଛଡ଼ାଇ ନେଇଛି ବିଶ୍ୱକପ ଆୟୋଜନର ଅଧିକାର । ଦିନିକିଆ ବିଶ୍ୱକପ-୨୦୨୩ ଫାଇନାଲ ଶେଷ ହେବା ପରେ ଅହମ୍ମଦାବାଦରେ ବୋର୍ଡର ବୈଠକ ଚାଲିଥିବା ବେଳେ ଏଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କୁହାଯାଇଛି ଯେ, ଆସନ୍ତା ୨୦୨୪ ରେ ହେବାକୁ ଥିବା ବିଶ୍ୱକପ ଶ୍ରୀଲଙ୍କାରେ ଆୟୋଜନ ହେବନାହିଁ ।
ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା ବର୍ତ୍ତମାନ ଆସନ୍ତା ଅଣ୍ଡର-୧୯ ବିଶ୍ୱକପ ଆୟୋଜନ କରି ପାରିବ ନାହିଁ । ଏହି ବିଶ୍ୱକପ ଆୟୋଜନ କରିବାର ଅଧିକାର ଛଡ଼ାଇନେଇଛି ଆଇସିସି ବୋର୍ଡ । ଶ୍ରୀଲଙ୍କା ବୋର୍ଡରେ ଅନିଶ୍ଚିତତାକୁ ନଜରରେ ରଖି ଆଇସିସି ଏଭଳି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ତେଣୁ ଶ୍ରୀଲଙ୍କା ବଦଳରେ ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ଅର୍ଥାତ୍ ଶ୍ରୀଲଙ୍କା ବଦଳରେ ଅଣ୍ଡର-୧୯ ବିଶ୍ୱକପର ଆୟୋଜକ ରହିବ ସାଉଥ ଆଫ୍ରିକା । ଏହାସହିତ ନଭେମ୍ବର ୧୦ ତାରିଖରେ ଶ୍ରୀଲଙ୍କା ବୋର୍ଡକୁ ସସପେଣ୍ଡ କରିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ମଧ୍ୟ ହୋଇନାହିଁ । ତେବେ ଏହାର ପ୍ରଭାବ ଶ୍ରୀଲଙ୍କା କ୍ରିକେଟରେ ପଡ଼ିବ ନାହିଁ ବୋଲି କହିଛି ଆଇସିସି । ଶ୍ରୀଲଙ୍କା ଦଳ ନିଜର ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଜାରି ରଖିବ ।
୨୦୨୪ ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ସେହିପରି ଦକ୍ଷିଣ ଆଫ୍ରିକା ଟି-୨ ଲିଗ୍ ର ଦ୍ୱିତୀୟ ସିଜନ୍ ଜାନୁୟାରୀ ୧୦ ତାରିଖରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏକା ସାଙ୍ଗରେ ଉଭୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସାଉଥ ଆଫ୍ରିକା ବୋର୍ଡ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଛି ।
ICC Board announce new hosts for Men's U19 Cricket World Cup 2024 👀
More ⬇️
— ICC (@ICC) November 21, 2023
୨୦୨୩ ବିଶ୍ୱକପରେ ଖରାପ ପ୍ରଦର୍ଶନ ଯୋଗୁଁ ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି ଶ୍ରୀଲଙ୍କା ଦଳ । ଏହାପରେ ଶ୍ରୀଲଙ୍କାର ଖେଳମନ୍ତ୍ରୀ ସମ୍ପୂର୍ଣ୍ଣ ବୋର୍ଡକୁ ବରଖାସ୍ତ କରିଥିବା ବେଳେ ଏହାକୁ ସରକାରଙ୍କ ହସ୍ତକ୍ଷେପ ବୋଲି ଭାବିଥିଲା ଆଇସିସି । ତେଣୁ ପରେ ଆଇସିସି ତରଫରୁ ଶ୍ରୀଲଙ୍କା ବୋର୍ଡକୁ ସସପେଣ୍ଡ କରିଦିଆଯାଇଛି । ବର୍ତ୍ତମାନ ଶ୍ରୀଲଙ୍କା ବୋର୍ଡକୁ ଆଉ ଏକ ଶକ୍ତ ଝଟକା ଲାଗିଛି । ତେବେ ଟି-୨୦ ବିଶ୍ୱକପ ଇତିହାସରେ ଭାରତ ସର୍ବାଧିକ ୫ ଥର ଚମ୍ପିଆନ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୩ଥର ଏହି କପ୍ ନିଜର କରିଛି । ସେହିପରି ପାକିସ୍ତାନ ୨ ଥର ଟ୍ରଫି ଉପରେ କବଜା କରିଥିବା ବେଳେ ବାଲାଂଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗୋଟିଏ ଲେଖାଏଁ ସିଜନରେ ଚମ୍ପିଆନ୍ ପାଲଟିଛନ୍ତି ।