fbpx

ବିଶ୍ୱକପରେ ଭାରତର ପରାଜୟକୁ ନେଇ ରାଜନୀତି; ମୋଦିଙ୍କ ଉପସ୍ଥିତିକୁ ନେଇ ପରୋକ୍ଷରେ ରାହୁଲ କହିଲେ…

ଓଡିଶା ଭାସ୍କର; ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଭାରତୀୟ ଦଳ । ଏହି ବିଶ୍ୱକପରେ ଭାରତ କ୍ରମାଗତ ୧୦ଟି ମ୍ୟାଚରେ ବିଜୟ ହୋଇ ଅପରାଜେୟ ରହିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ପରାସ୍ତ ହୋଇ ବିଶ୍ୱ ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଛି । ସାରା ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟାଟିଂ ଓ ବୋଲିରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ବେଳେ ଫାଇନାଲରେ ଭାରତକୁ ଭାଗ୍ୟ ସାଥ ଦେଇନାହିଁ । ଯେଉଁଥିପାଇଁ ପରାଜୟ ସାମ୍ନା କରିଛି ଭାରତୀୟ ଦଳ । କିନ୍ତୁ ଭାରତର ଏହି ପରାଜୟକୁ ନେଇ ରାଜନୀତି ମଧ୍ୟ ଦେଖାଦେଇଛି । ଟିମ ଇଣ୍ଡିଆର ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ନେତା ।

ଏଠାରେ କହି ରଖୁ ଯେ, ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ମ୍ୟାଚ ଦେଖିବା ପାଇଁ ଓ ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ କ୍ରୀଡାପ୍ରେମୀଙ୍କ ସମେତ ସମସ୍ତ ରାଜନେତା, ସେଲିବ୍ରେଟି ମାନେ ଷ୍ଟାଡିୟମରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତୀୟ ଦଳ ଫାଇନାଲରେ ହାରିଯାଇଥିଲା। ତେବେ ମୋଦି ଓ ଅମିତ ଶାହାଙ୍କ ଉପସ୍ଥିତି ଅଶୁଭ ବୋଲି କହି ଏହା ଭାରତର ପରାଜୟ କାରଣ ବୋଲି କଂଗ୍ରେସ ତୀବ୍ର ସମାଲୋଚନା କରିଛି । ଅନ୍ୟପଟେ ଏହାକୁ ନେଇ ଦଳ ପକ୍ଷରୁ ବିଭିନ୍ନ ମେମେସ ମଧ୍ୟ ପ୍ରସ୍ତୁତ କରାଯାଇ ସୋସିଆଲ ମିଡ଼ିଆରେ ମଧ୍ୟ ଅପଲୋଡ଼ କରାଯାଇଛି । ସେହିପରି ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ମଧ୍ୟ ମୋଦିଙ୍କ ଉପସ୍ଥିତିକୁ ନେଇ ତାଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି ।

ସୂଚନା ଥାଉକି, ଆଜି ରାଜସ୍ଥାନର ଜାଲୋରେ ଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ଏହି ସମୟରେ ଫାଇନାଲ ମ୍ୟାଚ୍‌ କଥା ଉଠିଥିଲା। ଏତିକି ବେଳେ ଭିଡ଼ ଭିତରୁ ଜଣେ କେହି ପନୌତି, ପନୌତି କହି ଚିତ୍କାର କରିଥିଲେ। ଏହା ଶୁଣି ରାହୁଲ ଗାନ୍ଧି ସ୍ମିଥ ହାସ୍ୟ ଦେଇଥିଲେ ଓ କହିଥିଲେ, “ହଁ, ପନୌତି, ପନୌତି। ଆମ ପିଲାମାନେ ବେଶ ଆରାମରେ ବିଶ୍ୱକପ ଜିତି ଯାଇଥାଆନ୍ତେ, କିନ୍ତୁ ସେଠାରେ ପନୌତି ହରାଇ ଦେଲା। ଟିଭିବାଲା ଏହା କେବେ ହେଲେ କହିବେ ନାହିଁ। ହେଲେ ସାଧାରଣ ଜନତା ସବୁ ଜାଣିଛନ୍ତି।” ତେବେ ପନୌତିର ଅର୍ଥ ହେଉଚଛି ଅଶୁଭ। ଏଥିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରି ନାହାନ୍ତି। କିନ୍ତୁ ସେ ଫାଇନାଲ ଦିନ ଷ୍ଟାଡିୟମରେ ଉପସ୍ଥିତି ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ପନୌତି ଶବ୍ଦର ବ୍ୟବହାର କରିଥିବା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।

Get real time updates directly on you device, subscribe now.