ଆକ୍ସନ ମୋଡ଼ରେ RBI: ବ୍ୟାଙ୍କ ବୋର୍ଡକୁ ସସପେଣ୍ଡ କଲା କେନ୍ଦ୍ରୀୟ ବ୍ୟାଙ୍କ, ଗ୍ରାହକଙ୍କ ଅବସ୍ଥା କ’ଣ ହେବ

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକାଧିକ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଚଳିତ ସପ୍ତାହରେ ବ୍ୟାଙ୍କ ୮ଟି ବ୍ୟାଙ୍କ ଉପରେ ଜରିମାନା ଲଗାଇଥିଲା । ତେବେ ଏହା ପୁଣି ଥରେ ଆକ୍ସନ ମୁଡ଼କୁ ଆସିଛି ଦେଶର କେନ୍ଦ୍ରୀୟ ବ୍ୟାଙ୍କ । ଗୋଟିଏ ବ୍ୟାଙ୍କ ବୋର୍ଡକୁ ଆରବିଆଇ ସସପେଣ୍ଡ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଅଭ୍ୟୁଦୟ ସମବାୟ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳଙ୍କୁ ଆରବିଆଇ ଏକ ବର୍ଷ ପାଇଁ ସସପେଣ୍ଡ କରିଦେଇଛି । ଖରାପ ଶାସନ ମାନଦଣ୍ଡ କାରଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହିତ ସମବାୟ ବ୍ୟାଙ୍କର ପରିଚାଳନା ପାଇଁ ଜଣେ ପ୍ରଶାସକଙ୍କୁ ନିଯୁକ୍ତି ଦେବା ସହିତ ପ୍ରଶାସକଙ୍କ ସହାୟତା ପାଇଁ ପରାମର୍ଶଦାତାଙ୍କ ଏକ କମିଟିକୁ ମଧ୍ୟ ଆରବିଆଇ ନିଯୁକ୍ତି ଦେଇଛି । ତେବେ ସମବାୟ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ କୌଣସି ପ୍ରକାର ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ । ପ୍ରଶାସକଙ୍କ ମାର୍ଗଦର୍ଶନରେ ବ୍ୟାଙ୍କ ନିଜର କାର୍ଯ୍ୟ ଜାରି ରଖିବ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୨୫ ତାରିଖର ଦେଶର ୮ଟି ସରକାରୀ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ ଜରିମାନା ଲାଗୁ କରାଯାଇଥିଲା । ବ୍ୟାଙ୍କ ଅଫ୍ ବରୋଦା (ବିଓବି), ସିଟି ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି) ୩ଟି ବ୍ୟାଙ୍କ ଉପରେ ମୋଟ ୧୦.୩୪ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଥିଲା । ସେହିପରି ଗତ ୨୩ ତାରିଖରେ ଆରବିଆଇ ପକ୍ଷରୁ ୫ଟି ସମବାୟ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ମହିଳା ସେବା ସହକାରୀ ବ୍ୟାଙ୍କ ଲିଃ, ପୋରବନ୍ଦର ବିଭାଗୀୟ ନାଗରିକ ସହକାରୀ ବ୍ୟାଙ୍କ ଲିଃ, ସର୍ବୋଦୟ ନାଗରିକ ସହକାରୀ ବ୍ୟାଙ୍କ ଲିଃ, ଦି ଖମ୍ବାତ ନାଗରିକ ସହକାରୀ ବ୍ୟାଙ୍କ ଲିଃ ଓ ଦି ଭେଜାଲପୁର ନାଗରିକ ସହକାରୀ ବ୍ୟାଙ୍କ ଲିଃ ଉପରେ ଜରିମାନା ଲାଗୁ କରାଯାଇଥିଲା ।