fbpx

ଜୁନିୟର ହକି ବିଶ୍ୱକପ ସେମିରେ ଭାରତ: ନେଦରଲାଣ୍ଡସକୁ ୪-୩ରେ ପରାସ୍ତ କଲା ଟିମ୍ ଇଣ୍ଡିଆର ଯୁବ ବାହିନୀ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ଜୁନିୟର ହକି ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ପ୍ରତିପକ୍ଷ ନେଦରଲାଣ୍ଡସକୁ ୪-୩ ଗୋଲରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏହି ସୌଭାଗ୍ୟ ଅର୍ଜନ କରିଛି । ମ୍ୟାଚର ହାଫ୍ ଟାଇମ୍ ସୁଦ୍ଧା ଭାରତ ୦-୨ ଗୋଲରେ ପଛରେ ରହିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଭାରତୀୟ ଯୁବ ବାହିନୀ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଫଳାଫଳକୁ ଓଲଟାଇ ଦେବାରେ ସକ୍ଷମ ହୋଇଥିଲେ ।

ଜୁନିୟର ହକି ବିଶ୍ୱକପରେ ଭାରତ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ନେଦରଲାଣ୍ଡସ ପରି ଏକ ମଜବୁତ ଟିମକୁ ପରାସ୍ତ କରିପାରିଛି । ସବୁଠାରୁ ବଡ଼ କଥା ହେଉଛି ଖେଳ ଅଧା ସୁଦ୍ଧା ୦-୨ରେ ପଛରେ ରହିଥିଲେ ଭାରତ ଦୃଢ଼ ଭାବେ ପ୍ରତ୍ୟାବର୍ତ୍ତନ କରି ପ୍ରତିପକ୍ଷକୁ ୪-୩ ଗୋଲରେ ପରାସ୍ତ କରିବାରେ ସକ୍ଷମ ହୋଇପାରିଛି । ଆସନ୍ତା ୧୪ ତାରିଖରେ ଭାରତ ଜର୍ମାନୀ ସହିତ ସେମିଫାଇନାଲ ଖେଳିବ ।

ବିଶ୍ୱ ରାଙ୍କିଂର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଏହି କ୍ୱାର୍ଟର ଫାଇନାଲ ମୁକାବିଲା ବେଶ୍ ରୋମାଞ୍ଚଭରା ରହିଥିଲା । ଏକଦା ୦-୨ ଗୋଲରେ ପଛୁଆ ରହିଥିବା ଭାରତ ଦ୍ୱିତୀୟ ହାଫରେ ୪ଟି ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ୩୪ତମ ମିନିଟରେ ଆଦିତ୍ୟ ଲାଲାଗୋ, ୩୬ତମ ମିନିଟରେ ଅରାଇଜିତ ସିଂହ ହୁଣ୍ଡଲ, ୫୨ତମ ମିନିଟରେ ଆନନ୍ଦ କୁଶବାହ ଓ ୫୭ତମ ମିନିଟରେ ଅଧିନାୟକ ଉତ୍ତମ ସିଂହ ଗୋଲ ସ୍କୋର କରିଥିଲେ । ଖେଳ ଆରମ୍ଭରୁ ନେଦରଲାଣ୍ଡସ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ।

Get real time updates directly on you device, subscribe now.