fbpx

୮୮ ବର୍ଷର ଟେଷ୍ଟ ଇତିହାସରେ ଦ୍ୱିତୀୟ ଘଟଣା: ଭାରତୀୟ ମହିଳା ଟିମ୍ ପ୍ରଥମ ଦିନରେ ସ୍କୋର କଲା ୪୦୦ରୁ ଅଧିକ ରନ୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ଏକ ଅବିଶ୍ୱସନୀୟ ରେକର୍ଡ ସ୍ଥାପନ କରିଛି । ୮୮ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଦ୍ୱିତୀୟ ଦଳ ଭାବେ ପ୍ରଥମ ଦିନରେ ୪୦୦ରୁ ଅଧିକ ସ୍କୋର କରିଛି ଭାରତୀୟ ଦଳ । ଇଂଲଣ୍ଡ ବିପକ୍ଷରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ମହିଳା ଟିମ୍ ପ୍ରଥମ ଦିନରେ ୯୪ ଓଭରରେ ୭ ୱିକେଟ ହରାଇ ୪୧୦ ରନ୍ କରିଥିଲା ।

ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ସେ ୪୯ ରନରେ ଦୁର୍ଭାଗ୍ୟବଶତଃ ଭାବେ ରନ୍ ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କର ମଧ୍ୟରେ ଶୁଭା ସାଥେଶ ୬୯, ଜେମିମାହ ରେଡ୍ରିଗୁସ ୬୮, ୟାଷ୍ଟିକା ଭାଟିୟା ୬୬ ଓ ଦୀପ୍ତି ଶର୍ମା ୬୭ ରନ୍ ସଂଗ୍ରହ କରିଥିଲେ । ୪ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକୀୟ ପାଳି ଖେଳିବା ଫଳରେ ଭାରତ ପ୍ରଥମ ଦିନରେ ହିଁ ଏକ ରନର ପାହାଡ଼ ଛିଡ଼ା କରିବାକୁ ସକ୍ଷମ ହୋଇଥିଲା ।

ଇଂଲଣ୍ଡ ପକ୍ଷରୁ ଲାଉରେନ ବେଲ ଓ ସୋଫି ଏସଲେଷ୍ଟୋନ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୯୩୫ ମସିହାରେ କ୍ରିଷ୍ଟଚର୍ଚ୍ଚର ଲାନକାଷ୍ଟର ପାର୍କରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ମହିଳା ଟିମ୍ ପ୍ରଥମ ଥର ପାଇଁ ପ୍ରଥମ ଦିନରେ ୪୩୧ ରନ୍ ସଂଗ୍ରହ କରିଥିଲା । ଦୀର୍ଘ ୮୮ ବର୍ଷ ପରେ ଭାରତ ପ୍ରଥମ ଦିନରେ ୪୦୦ ଟନ୍ ଅତିକ୍ରମ କରି ନୂଆ ରେକର୍ଡ ସ୍ଥାପନ କରିଛି । ଏହା ପୂର୍ବରୁ ୧୯୮୪ରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଗୋଟିଏ ଦିନରେ ମୋଟ ୩୭୯ ରନ୍ ସଂଗୃହୀତ ହୋଇଥିବା ବେଳେ ଭାରତୀୟ ମହିଳା ଦଳ ଉକ୍ତ ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇପାରିଛି ।

Get real time updates directly on you device, subscribe now.