fbpx

ୱିକେଟ ପରେ ୱିକେଟ ନେଲେ ଅର୍ଶଦୀପ: ଦକ୍ଷିଣ ଆଫ୍ରିକା ମାତ୍ର ୧୧୬ ରନରେ ଅଲଆଉଟ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ୧-୧ରେ ବରାବର ରହିବା ପରେ ଆଜିଠାରୁ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ତେବେ ପ୍ରଥମ ମ୍ୟାଚରେ ଘରୋଇ ଦଳ ଝୁଣ୍ଟିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ବୋଲିଂକୁ ସାମ୍ନା କରି ନପାରି ବଡ଼ ସଙ୍କଟରେ ପଡ଼ିଥିଲା । ଫଳରେ ଦଳ ମାତ୍ର ୨୭.୩ ଓଭରରେ ୧୧୬ ରନରେ ଅଲଆଉଟ୍ ହୋଇଯାଇଥିଲା ।

ପ୍ରଥମ ମ୍ୟାଚରେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ମାତ୍ର ୩ ରନରେ ପ୍ରଥମ ୱିକେଟ ହରାଇଥିଲା । ଓପନର ରେଜା ହେଣ୍ଡ୍ରିକ୍ସ ଖାତା ଖୋଲିବା ପୂର୍ବରୁ ଅର୍ଶଦୀପ ସିଂହଙ୍କ ପ୍ରଥମ ଶିକାର ହୋଇଥିଲେ । ଏହାପରେ ଅର୍ଶଦୀପ ଅନ୍ୟ ଓପନର ଟୋନି ଦେ’ ଜୋର୍ଜି (୨୮) ଓ ଭାନ ଡିର ଦୁସେନ (୦)ଙ୍କୁ ପାଲିଭିୟନ ପଠାଇ ଭାରତକୁ ତୃତୀୟ ସଫଳତା ଦେଇଥିଲେ । ଏହାପରେ କୌଣସି ଘରୋଇ ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଣ୍ଡିଲେ ଫେହଲୁକ୍ୱାୟୋ ସର୍ବାଧିକ ୩୩ ରନ୍ କରିଥିବା ବେଳେ ସେ ମଧ୍ୟ ଅର୍ଶଦୀପଙ୍କ ଶିକାର ହୋଇଥିଲେ । ଅର୍ଶଦୀପଙ୍କ ପରି ଆଭେଶ ଖାନ ମଧ୍ୟ କମାଲ୍ କରିବା ସହିତ ୪ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ରନ୍ ଗତିରେ ରୋକ ଲଗାଇବାରେ ସକ୍ଷମ ହୋଇଥିଲେ । ଦଳର ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅର୍ଶଦୀପ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ଆଭେଶ ୪ଟି ଓ କୁଲଦୀପ ଯାଦବ ୧ଟି ୱିକେଟ ନେଇଥିଲେ । ଆଜି ସାଇ ସୁଦର୍ଶନ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ ।

Get real time updates directly on you device, subscribe now.