fbpx

ତାମିଲନାଡୁ; ଭୟଙ୍କର ବର୍ଷାରେ ୧ ମୃତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ଉଦ୍ଧାର କାର୍ଯ୍ୟ ଜାରି 

ଚେନ୍ନାଇ: ଦକ୍ଷିଣ ତାମିଲନାଡୁର ଅନେକ ଜିଲ୍ଲାରେ ରାସ୍ତାଘାଟ, ପୋଲ ଓ ଧାନ କ୍ଷେତ ଜଳମଗ୍ନ ହେବା ସହ ଅନେକ କଲୋନୀ ମଧ୍ୟ ଜଳମଗ୍ନ ହୋଇଛି। ତୁତିକୋରିନ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା, ବାୟୁସେନା ଓ ଭାରତୀୟ ନୌସେନାକୁ ସହାୟତା ପ୍ରଦାନ କରିବା ସହ ପ୍ରଭାବିତ ଅଞ୍ଚଳରେ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। କନ୍ୟାକୁମାରୀରେ ୧୭.୩ ସେମି ବର୍ଷା ହୋଇଥିବା ବେଳେ ତିରୁନେଲଭେଲିରେ ୨୬ ସେମି ଏବଂ ତୁତିକୋରିନରେ ୬୦ ସେମି ବର୍ଷା ରେକର୍ଡ କରାଯାଇଛି।

ପାଖାପାଖି ୭,୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪ଟି ରିଲିଫ୍ କ୍ୟାମ୍ପରେ ରଖାଯାଇଛି। କମନ୍ ଆଲର୍ଟ ପ୍ରୋଟୋକଲ ଜରିଆରେ ୬୨ ଲକ୍ଷ ଲୋକଙ୍କୁ ଏସଏମଏସ ଆଲର୍ଟ ପଠାଯାଇଥିଲା । ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା କହିଛନ୍ତି, ରାଜ୍ୟ ସରକାର ସେନା, ନୌସେନା ଓ ବାୟୁସେନାର ସେବା ଲୋଡ଼ିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୮୪ଟି ଡଙ୍ଗା ନିୟୋଜିତ କରାଯାଇଛି। ଡିସେମ୍ବର ୧୮ତାରିଖକୁ ୪ଟି ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଥାମିରାବାରଣୀ ନଦୀ ପ୍ରବାହିତ ହେବା ପରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ନିକଟସ୍ଥ କନ୍ନଡନ ଚ୍ୟାନେଲକୁ ଅତିରିକ୍ତ ଜଳ ଛାଡିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏନଡିଆରଏଫ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଯବାନ, ଅଗ୍ନିଶମ ଓ  ଉଦ୍ଧାର ସେବା ଏବଂ ପୋଲିସ ଟିମ୍ ପ୍ରବଳ ଜଳମଗ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରି ସ୍କୁଲ ଓ ବିବାହ ମଣ୍ଡପରେ ରଖିଥିଲେ । ତିରୁନେଲଭେଲି-ତିରୁଚେନ୍ଦୁର ସେକ୍ସନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି କାରଣ ଅନେକ ସ୍ଥାନରେ ‘ବାଲାଷ୍ଟ’ ଭାସିଯାଇଛି, ଟ୍ରାକ୍ ‘ଝୁଲୁଛି’ ଏବଂ ରେଳ ଧାରଣା ଉପରେ ପାଣି ପ୍ରବାହିତ ହେଉଛି। କୋମୋରିନ୍ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେଉଥିବାରୁ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

 

Get real time updates directly on you device, subscribe now.