fbpx

IPL ୨୦୨୪କୁ ନେଇ ଆସିଲା ୨ଟି ବଡ଼ ଅପଡେଟ୍: ଲୋକସଭା ନିର୍ବାଚନ କାରଣରୁ ବଦଳିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ର ମିନି ଅକ୍ସନ ଆଜି ଦୁବାଇ ଠାରେ ଭାରତୀୟ ସମୟ ଦ୍ୱିପ୍ରହର ୧ଟା ସମୟରେ ଆରମ୍ଭ ହେବ । ତେବେ ଏହା ମଧ୍ୟରେ ଆଇପିଏଲ ୨୦୨୪ ଟୁର୍ଣ୍ଣାମେଣ୍ଟର ଶିଡ୍ୟୁଲକୁ ନେଇ ଆସିଛି ଦୁଇଟି ବଡ଼ ଖବର । ଲୋକସଭା ନିର୍ବାଚନ ଓ ଆଇପିଏଲ ସିଜିନ ମଧ୍ୟରେ ଟକ୍କର ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ଏନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ।

ସୂଚନା ମୁତାବକ, ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଆଇପିଏଲ ଆରମ୍ଭ ହୋଇପାରେ । ମେ ମାସ ଶେଷ ସପ୍ତାହ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟ ଶେଷ ହୋଇପାରେ । ତେବେ ଏକ ରିପୋର୍ଟ ମୁତାବକ, ଆଇପିଏଲ ଓ ଲୋକସଭା ନିର୍ବାଚନ ଏକ ସମୟରେ ହେଲେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଓ ପ୍ରସାରଣକାରୀ ବହୁମାତ୍ରାରେ କ୍ଷତିର ସମ୍ମୁଖୀନ ହୋଇ ପାରନ୍ତି । ଏଥିସହିତ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ । ଲୋକସଭା ନିର୍ବାଚନ କାରଣରୁ ମ୍ୟାଚ ସମୟରେ ସୁରକ୍ଷା ପାଇଁ ପୋଲିସ କର୍ମଚାରୀଙ୍କର ଅଭାବ ହୋଇପାରେ ।

ତେବେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଶିଡ୍ୟୁଲକୁ ନେଇ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ କିଛି ବିଚାର କରିପାରେ । ପ୍ରଥମେ ଲୋକସଭା ନିର୍ବାଚନ ସାମ୍ନାକୁ ଆସିବା ପରେ ଆଇପିଏଲ ୨୦୨୪ ଶିଡ୍ୟୁଲ ଘୋଷଣା କରାଯାଇପାରେ । ସେହିପରି ଯଦି ଆବଶ୍ୟକ ପଡ଼େ ତେବେ ଆଇପିଏଲ ବିଦେଶରେ କରାଇବା ନେଇ ନିଷ୍ପତ୍ତି ନିଆଯାଇପାରେ । ମାତ୍ର ଏବେ ଆଇପିଏଲକୁ ଦେଶରେ କରାଇବା ନେଇ ବିଚାର ଚାଲିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନ କାରଣରୁ ଆଇପିଏଲକୁ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଓ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.