ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ନୂଆ ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ପୂର୍ବତନ DSPଙ୍କ ପୁଅଙ୍କ ନାମ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାକୁ ଏହା ମଧ୍ୟରେ ଏକ ସପ୍ତାହ ପୂରି ଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଲୋକସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ମଧ୍ୟକୁ ଦୁଇଜଣ ଅଜ୍ଞାତ ଯୁବକ ପ୍ରବେଶ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ଘଟଣା ପଛରେ ଏକାଧିକ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିବା ସହିତ ଅନେକ ଗୁମର ଖୋଲିଥିଲା ।

ତେବେ ଏହା ମଧ୍ୟରେ ଏହି ଘଟଣାରେ ପୁଣି ଦୁଇଜଣ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଛି । ସବୁଠାରୁ ବଡ଼ କଥା ହେଉଛି, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଡିଏସପିଙ୍କ ପୁଅ ରହିଥିବା ଜଣାପଡ଼ିଛି । କର୍ଣ୍ଣାଟକର ପୂର୍ବତନ ଡିଏସପିଙ୍କ ପୁଅ ସାଇ କୃଷ୍ଣ ଓ ତାଙ୍କର ବନ୍ଧୁ ମନୋରଞ୍ଜନ ଡି’ ଏହି ମାମଲା ସହ ଜଡ଼ିତ ଥିବା ଜଣାପଡ଼ିଛି । ସାଇ ଓ ମନୋରଞ୍ଜନ ଦୁହେଁ ବେଙ୍ଗାଲୁରୁରେ ଇଞ୍ଜିନିୟରିଂ କ୍ଲାସମେଟ ଥିଲେ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କର୍ଣ୍ଣାଟକର ବାଗଲକୋଟ ସହରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ସାଇଙ୍କୁ ପଚରାଉଚରା କରିଛି ।

ସଂସଦ ସୁରକ୍ଷା ଭଙ୍ଗ ମାମଲାର ୬ ଜଣ ଅଭିଯୁକ୍ତଙ୍କ ରିମାଣ୍ଡ ଆଜି ସମାପ୍ତ ହେଉଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ । ଏହା ମଧ୍ୟରେ ପୋଲିସ ପୁଣି ଦୁଇଜଣ ଅଭିଯୁକ୍ତଙ୍କ ସନ୍ଧାନ କରିବା ପରେ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି । ପ୍ରଥମେ ସାଇଙ୍କୁ ପଚରାଉଚରା କରାଯାଇଥିଲା ଓ ତା’ପରେ ରାତି ପାଖାପାଖି ୧୦ଟା ସମୟରେ ଅଟକ ରଖାଯାଇଥିଲା । ସାଇଙ୍କୁ ଦିଲ୍ଲୀ ଅଣାଯାଉଥିବା ବେଳେ ତାଙ୍କୁ ସ୍ପେଶାଲ ସେଲର ଟିମ୍ ପଚରାଉଚରା କରିବ । ସେହିପରି ସ୍ପେଶାଲ ସେଲ ଉତ୍ତରପ୍ରଦେଶର ଜାଲୌନର ବାସିନ୍ଦା ଅତୁଲ କୁଲଶ୍ରେଷ୍ଠ ନାମକ ଜଣେ ଯୁବକଙ୍କୁ ମଧ୍ୟ ପଚଉଚରା କରିଛି ।