fbpx

ସୈନିକଙ୍କ ଆଖିରୁ ବହୁଛି ରକ୍ତର ଲୁହ, ଆଗକୁ ଆଉ ଲଢିପାରିବେନି ଯୁଦ୍ଧ

ନୂଆଦିଲ୍ଲୀ: ଫେବୃୟାରୀ ୨୦୨୨ରୁ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ବି ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ରୁଷର ଜୋରଦାର ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ୍ ମଧ୍ୟ ରୁଷର କ୍ଷେପଣାସ୍ତ୍ର ନଷ୍ଟ କରିବାକୁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି । ତେବେ ଇତି ମଧ୍ୟରେ ୟୁକ୍ରେନ ରୁଷର ଶକ୍ତିଶାଳୀ କିଂଝଲ କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି । ଆମେରିକାର ପେଟ୍ରିୟଟ କ୍ଷପଣାସ୍ତ୍ର ବଳରେ ୟୁକ୍ରେନ୍ ଏହା ସମ୍ଭବ କରିପାରିଛି । ଏହାରି ମଧ୍ୟରେ ୟୁକ୍ରେନର ସେନା ଏକ ବଡ ଦାବୀ କରିଛନ୍ତି । ଏହି ଦାବୀ ରୁଷର ସୈନିକଙ୍କୁ ନେଇ କରିଛନ୍ତି । ଏମାନେ ଦାବୀ କରିଛନ୍ତି କି ଏକ ରୋଗ କାରଣରୁ ରୁଷ ସୈନିକଙ୍କ ଯୁଦ୍ଧ କରିବାର କ୍ଷମତା ଶେଷ ହେବାକୁ ଯାଉଛି । ଏହି ରୋଗରେ ଲୋକଙ୍କ ଆଖିରୁ ରକ୍ତ ବହିବାରେ ଲାଗିଛି । ଏହା ସହିତ ଭୀଷଣ ମୁଣ୍ଡବିନ୍ଧା ହେବା ସହ ବହୁ ସମୟରେ ବାନ୍ତି ମଧ୍ୟ ହୋଇଥାଏ ।

ୟୁକ୍ରେନର ମୁଖ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ରୋଗକୁ ‘ମାଉସ୍ ଫିବର’ ବୋଲି କୁହାଯାଉଛି । ଏହି ରୋଗ ଷ୍ଟ୍ରେପ୍ଟୋକୋକଲ ବ୍ୟାକ୍ଟେରିଆ ଠାରୁ ବ୍ୟାପିଥାଏ । ଏହା ମୂଷାଙ୍କ ସହ ସିଧା ସଂସ୍ପର୍ଶରେ ଆସିବା ଦ୍ୱାରା କିମ୍ବା ସେମାନେ ମଳତ୍ୟାଗ କରିଥିବା ସ୍ଥାନ ନିକଟରେ ଶ୍ୱାସକ୍ରିୟା କରିବା ଦ୍ୱାରା ବ୍ୟାପିଥାଏ । ଏହି ରୋଗ କାରଣୁ ଶରୀରର ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ବଢିଯାଏ । ଭୀଷଣ ମୁଣ୍ଡବିନ୍ଧା ସହିତ , ନିମ୍ନ ରକ୍ତଚାପ ଓ ଆଖିରୁ ରକ୍ତ ବୋହିବା ସମସ୍ୟା ଦେଖାଦେଇଥାଏ । ଏହା ସହିତ ବାନ୍ତି ହୋଇଥାଏ ଓ ଛାତି ଥରିଥାଏ ।

ୟୁକ୍ରେନ କହିଛି ରୁଷ ସୈନିକମାନେ ସେମାନଙ୍କ କମାଣ୍ଡର ସହ ଏହି ରୋଗ ବିଷୟରେ ଅଭିଯୋଗ କରିଥିଲେ । କିନ୍ତୁ ସେମାନଙ୍କ ଅଭିଯୋଗକୁ ଅଣଦେଖା କରିଦିଆଯାଇଛି । ୟୁକ୍ରେନ୍ କହିଛି ରୁଷ ଏହି ରୋଗକୁ ଗମ୍ଭୀରତାର ସହ ନେଉ ନାହିଁ ଓ ସୈନିକମାନେ ଯୁଦ୍ଧରୁ ବଞ୍ଚିବା ପାଇଁ ଏପରି ବାହାନା କରୁଛନ୍ତି ବୋଲି କହିଛି ।

Get real time updates directly on you device, subscribe now.