fbpx

ଦୁଇ ଦିନିଆ କାର୍ଯ୍ୟକ୍ରମ ‘ଆଦି ବ୍ୟାଖ୍ୟାନ’ କୁ ଉଦ୍‌ଘାଟନ କଲେ ଅର୍ଜୁନ ମୁଣ୍ଡା: ଓଡ଼ିଶା ସମେତ ୫ଟି ରାଜ୍ୟର ମୁଣ୍ଡା ସମ୍ପ୍ରଦାୟର ପ୍ରତିନିଧିମାନେ ହେଲେ ସାମିଲ

ନୂଆଦିଲ୍ଲୀ: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଆଜି ନୂଆଦିଲ୍ଲୀରେ ଦୁଇ ଦିନିଆ ଜନଜାତି ଅଭିମୁଖୀ କାର୍ଯ୍ୟକ୍ରମ ‘ଆଦି ବ୍ୟାଖ୍ୟାନ’ କୁ ଉଦ୍‌ଘାଟନ କରିଛନ୍ତି । ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ (ଏନ୍‌ଟିଆରଆଇ) ପକ୍ଷରୁ ଜନଜାତି ପରମ୍ପରା ଓ ସଂସ୍କୃତିର ଜଟିଳତାକୁ ଗଭୀର ଭାବରେ ବୁଝିବା ଏବଂ ସେମାନଙ୍କ ଅସ୍ତିତ୍ୱ ପ୍ରତି ଥିବା ଆହ୍ୱାନ ଗୁଡ଼ିକୁ ଖୋଜି ବାହାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନଜାତି ମାନଙ୍କ ପରିଚୟ ଏବଂ ଦେଶର ସାଂସ୍କୃତିକ ବିବିଧତା କ୍ଷେତ୍ରରେ ଜନଜାତି ମାନଙ୍କ ଅବଦାନକୁ ଖୋଜି ବାହାର କରିବା ପାଇଁ ଏହା ଏକ ପଦକ୍ଷେପ ।

 

ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ ସମ୍ପ୍ରସାରଣ) (ପିଇଏସ୍‌ଏ) ଆଇନ, ୧୯୯୬, ଜଙ୍ଗଲ ଅଧିକାର ଆଇନ (ଏଫ୍‌ଆର୍‌ଏ), ୨୦୦୬, ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯ର ସୂକ୍ଷ୍ମତାକୁ ଉନ୍ମୋଚନ କରିବା ପାଇଁ ଆଦି ବ୍ୟାଖ୍ୟାନ ଜନଜାତି ସମ୍ପ୍ରଦାୟ ମାନଙ୍କୁ ଭାରତର ପରିସଂଖ୍ୟାନ ସୂଚନା ଏବଂ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ସହିତ ପରିଚିତ କରାଇବ । ଏହା ଜନଜାତି ଶାସନ ଏବଂ ଜମି ଅଧିକାରକୁ ଆକାର ଦେଉଥିବା ଆଇନଗତ ଢାଞ୍ଚା ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିବ ଏବଂ ଜନଜାତି ଲୋକମାନେ ଏହାକୁ ଗଭୀର ଭାବେ ବୁଝିବା ପାଇଁ ମଞ୍ଚ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି । ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ରାଜ୍ୟ (ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମ) ର ମୁଣ୍ଡା ସମ୍ପ୍ରଦାୟର ପ୍ରତିନିଧିମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

 

ଉଦ୍‌ଘାଟନୀ ଭାଷଣ ଦେଇ ଶ୍ରୀ ଅର୍ଜୁନ ମୁଣ୍ଡା ଜନଜାତି ମାନଙ୍କ ପରିଚୟ, ସେମାନଙ୍କ ମାନ୍ୟତା ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଜନଜାତି ପରିଚୟ ବଜାୟ ରଖିବା ପାଇଁ ଜନଜାତି ଭାଷା ଓ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଜନଜାତି ମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ – ଜନମନ) ସମେତ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ପାଇଁ ସରକାରଙ୍କ ପ୍ରୟାସ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ । ଏଫଆରଏ, ୨୦୦୬ ; ପିଇଏସ୍‌ଏ, ୧୯୯୬; ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯ ଉପରେ ଆଲୋଚନାକୁ ଆଗକୁ ବଢାଇବା ପାଇଁ ଶ୍ରୀ ମୁଣ୍ଡା ଆଦି ମନ୍ଥନକୁ ପ୍ରଶଂସା କରିଥିଲେ; ଏବଂ ଜନଜାତି ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏନ୍‌ଟିଆରଆଇ ଭଳି ଗବେଷଣା ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଭାରତୀୟ ସମ୍ବିଧାନରେ ଜନଜାତି ମାନଙ୍କ ସମ୍ପର୍କିତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବାର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ପୁନଃଦୃଷ୍ଟି ଦେବା ଓ ପୁନର୍ବିଚାର କରିବାର ଆବଶ୍ୟକତାକୁ ସେ ସ୍ୱୀକାର କରିଥିଲେ ।

ଏନ୍‌ଟିଆରଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ପ୍ରଫେସର ନୁପୁର ତିୱାରୀ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରି କହିଥିଲେ ଯେ ଭାରତରେ ଜନଜାତି ସମ୍ପ୍ରଦାୟ ମାନଙ୍କ ସହ ଆଲୋଚନା ଏବଂ ଯୋଗାଯୋଗକୁ ଉତ୍ସାହିତ କରିବା ପାଇଁ ଆଦି ବ୍ୟାଖ୍ୟାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ମୁଣ୍ଡା ସମାଜର ସଭାପତି ଏତୱା ମୁଣ୍ଡା କହିଛନ୍ତି ଯେ ଏଭଳି ଆଲୋଚନାଚକ୍ର ଆଦିବାସୀଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣରେ ସହାୟକ ହେବା ସହ ଭବିଷ୍ୟତ ପିଢ଼ିକୁ ମାର୍ଗଦର୍ଶନ କରିବାରେ ସହାୟକ ହେବ । ଭାରତ ମୁଣ୍ଡା ସମାଜର ଉପସଭାପତି ଶ୍ରୀମତୀ ରୂପଲକ୍ଷ୍ମୀ ମୁଣ୍ଡା ଜନଜାତି ସମାଜରେ ନାରୀ ପ୍ରଗତି ଓ ସେମାନଙ୍କ ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ତାଙ୍କ ମତରେ ଆଦିବ୍ୟାଖ୍ୟାନ ଆଲୋଚନା ଜନଜାତି ମହିଳାଙ୍କ ମୁକ୍ତି ପାଇଁ ଏକ ମଞ୍ଚ ଭାବେ କାମ କରିପାରେ ।

ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଟିଏ) ଅଧୀନରେ ଆଦିବାସୀ ବିକାଶର ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରାଯିବ । ଏହାବ୍ୟତୀତ କଳା ନିଧି ଏବଂ ଏନ୍‌ଟିଆରଆଇ ନେତୃତ୍ୱାଧୀନ ଜନଜାତି ସଂଗ୍ରହାଳୟ ପରିଦର୍ଶନ ଆମ ଜନଜାତି ଐତିହ୍ୟର ସାଂସ୍କୃତିକ ସମୃଦ୍ଧିର ଏକ ମୂଲ୍ୟବାନ ଝଲକ ପ୍ରଦାନ କରିବ ।

 

Get real time updates directly on you device, subscribe now.