(Video) ପଡ଼ିବ ହାତଗଣ୍ଠି, ବାଜିବ ସାହାନାଇ: ଦ୍ୱିତୀୟ ବିବାହ କରିବେ ସାଂସଦ ଅନୁଭବ ମହାନ୍ତି…

ଭୁବନେଶ୍ୱର: ଓଲିଉଡ ଷ୍ଟାର କପଲ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଅନୁମତି ମିଳିସାରିଛି । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଥିବା ବୈବାହିକ ସମ୍ପର୍କକୁ ଶେଷ କରିବାକୁ ପ୍ରସ୍ତୁତ ଦୁଇ ଦମ୍ପତ୍ତି । ଅଦାଲତରେ ପାରିବାରିକ କଳହର ଲମ୍ବା ଯୁଦ୍ଧରେ ବିଜୟ ପରେ ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଏକ ବଡ଼ ସୂଚନା ଦେଇଛନ୍ତି । ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଅନୁଭବ । ଫ୍ୟାନ୍ସମାନଙ୍କୁ ମଧ୍ୟ ନିଜର ଦ୍ୱିତୀୟ ବିବାହ ବିଷୟରେ ସେ ସୂଚନା ଦେଇଛନ୍ତି । କେବେ ଦ୍ୱିତୀୟ ବିବାହ କରିବେ ଅନୁଭବ ମହାନ୍ତି ?

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ଦୀର୍ଘ ୩ ବର୍ଷରୁ ଅଦାଲତରେ ଚାଲିଥିବା ପାରିବାରିକ କଳହରେ ବିଜୟୀ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହି ଲମ୍ବା ବିବାହ ବିଚ୍ଛେଦ ମାମଲାର ଫଳାଫଳ ଶେଷରେ ଅନୁଭବଙ୍କ ସପକ୍ଷରେ ରହିଛି । ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପାଇଁ ଅଦାଲତରୁ ମିଳିସାରିଛି ଅନୁମତି । ଏହି ରାୟ ପରେ ଅନୁଭବଙ୍କ ଆଖିରେ ଳୁହ ଆସିଯାଇଛି । ତେବେ ନିଜକୁ ସମ୍ଭାଳିବା ପରେ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ସେ ପ୍ରସ୍ତୁତ ହୋଇଛନ୍ତି । ଏହାସହ ସେ ନିଜର ଦ୍ୱିତୀୟ ବିବାହ ପାଇଁ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଥାଇ ଏ ସମ୍ପର୍କରେ ସେ ଏକ ବଡ଼ ଖବର ଦେଇଛନ୍ତି । ଖୁବଶୀଘ୍ର ସେ ପୁଣିଥରେ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି ।

ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ କହିଛନ୍ତି ଯେ, ବର୍ଷା ଏବଂ ମୋ ଭିତରେ ଚାଲିଥିବା ବିବାଦର ଅନ୍ତ ହୋଇ ସାରିଛି । ବିବାହ ବିଚ୍ଛେଦ ପାଇଁ କୋର୍ଟରୁ ଅନୁମତି ମିଳିସାରିଛି । କିନ୍ତୁ ବାପା ଏବେ ବି ଅସୁସ୍ଥ ଥିବାରୁ ଏହି ମୁହୂର୍ତ୍ତକୁ ହୃଦୟଙ୍ଗମ କରି ପାରିନାହାନ୍ତି । ତେଣୁ ବାପା ସୁସ୍ଥ ହେଲେ ଏବଂ ଏହି ମୁହୂର୍ତ୍ତକୁ ଭଲ ଭାବରେ ଅନୁଭବ କରିବା ପରେ ମୁଁ ପୁଣିଥରେ ବିବାହ କରିବି । ଏ ନେଇ ସେ ନିଜେ ଘୋଷଣା କରିଛନ୍ତି । ଏହାସହ ସେ ବର୍ଷାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି । ସେ କେବେ ହେଁ ମିଛ କହୁ ନଥିଲେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।