ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼ରୁ ଟିକିଏ ଆଶ୍ୱସ୍ତି ପାଇବେ ସାଧାରଣ ଜନତା । ଭାରତ ଅଟା ଏବଂ ଭାରତ ଡାଲି ପରେ ଏବେ ସରକାର ଆଣୁଛନ୍ତି ଭାରତ ଚାଉଳ । ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ଦେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛନ୍ତି । ମାର୍କେଟରେ ଦରବୃଦ୍ଧି ଲାଗି ରହିଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଖାଦ୍ୟପେୟରେ ଏହାର ପ୍ରଭାବରୁ ଦୂରେଇ ରଖିବା ପାଇଁ ସରକାର ଯୋନା ରଖିଛନ୍ତି । ତେଣୁ ସମସ୍ତ ଜିନିଷ ରିହାତି ସହିତ ବିକ୍ରି କରାଯାଉଛି । ଏହାପୂର୍ବରୁ ପିଆଜ ଏବଂ ଟମାଟୋ ଶସ୍ତାରେ ବିକ୍ରି ହୋଇଛି ।
ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କୁ ମାତ୍ର ୨୫ ଟଙ୍କା ପ୍ରତି କିଲୋରେ ବିକ୍ରି ହେବ ଭାରତ ଚାଉଳ । ସରକାରୀ ଏଜେନ୍ସିଙ୍କ ଦ୍ୱାରା ଏହି ଚାଉଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ । ନେସନାଲ ଆଗ୍ରିକଲଚର କୋ-ଅପରେଟିଭ ମାର୍କେଟିଙ୍ଗ ଫେଡେରେସନ ଅଫ୍ ଇଣ୍ଡିଆ(NAFED), ନେସନାଲ କୋ-ଅପରେଟିଭ କଞ୍ଜୁମର ଫେଡେରେସନ ଅଫ୍ ଇଣ୍ଡିଆ ଲିମିଟେଡ(NCCF), କେନ୍ଦ୍ରୀୟ ଭଣ୍ଡାରର ଦୋକାନ ଏବଂ ମୋବାଇଲ ଭ୍ୟାନ୍ ଜରିଆରେ ଶସ୍ତା ଚାଉଳ ପ୍ରଦାନ କରିବା ପାଇଁ ଯୋଜନା କରାଯାଉଛି । ଉପଭୋକ୍ତା ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଦେଶରେ ଚାଉଳର ଦରବୃଦ୍ଧି ଯୋଗୁଁ ଭାରତ ଚାଉଳ ବିକ୍ରି କରିବା ଆବଶ୍ୟକ ହୋଇପଡ଼ିଛି । ଗତବର୍ଷ ଅପେକ୍ଷା ଚଳିତବର୍ଷର ଦରବୃଦ୍ଧି ୧୪.୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହାର ମୂଲ୍ୟ କିଲୋ ପ୍ରତି ୪୩.୩ ଟଙ୍କାରେ ପହଞ୍ଚିଛି ।
ବର୍ତ୍ତମାନ କେନ୍ଦ୍ର ସରକାର ଶସ୍ତାରେ ଭାରତ ଅଟା(୨୭.୫୦ ଟଙ୍କା) ଏବଂ ଚଣା ଡାଲି(୬୦ଟଙ୍କା) ବିକ୍ରି କରୁଛନ୍ତି । ଏଥିପାଇଁ ସାରା ଦେଶରେ ୨,୦୦୦ ରିଟେଲ ପଏଣ୍ଟ ନିର୍ମାଣ କରାଯାଇଛି । ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛି ଭାରତ ରାଇସ । ସରକାର କେବଳ ଶସ୍ୟ ନୁହେଁ, ପିଆଜ(୨୫ ଟଙ୍କା) ଏବଂ ଟମାଟୋକୁ ମଧ୍ୟ ଏହାର ଆଉଟଲେଟରେ ଶସ୍ତା ମୂଲ୍ୟରେ ବିକ୍ରି କରୁଛନ୍ତି । ମୂଲ୍ୟରେ ବିକ୍ରି ହେଉଛି । ଖାଦ୍ୟ ପଦାର୍ଥର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗତ କିଛି ଦିନ ମଧ୍ୟରେ ଅନେକ ପଦକ୍ଷେପ ନେଇଛନ୍ତି।