ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ବାରମ୍ବାର ଟେଷ୍ଟ ମ୍ୟାଚ ହାରୁଛି କାହିଁକି? ପୁଣି ଥରେ ଭାଙ୍ଗିଲା ଟିମ୍ ଇଣ୍ଡିଆର ସ୍ୱପ୍ନ
ନୂଆଦିଲ୍ଲୀ: ପୁଣି ଥରେ ଟିମ୍ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଯାଇଛି । ଆଜି ପର୍ଯ୍ୟନ୍ତ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏ ହେଲେ ବି ଟେଷ୍ଟ ସିରିଜ ଜିତି ପାରିନଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ଜିତିବା ସ୍ୱପ୍ନ ଏବେ ଚୁରମାର ହୋଇଯାଇଛି । ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଗୋଟିଏ ଇନିଂସ ଓ ୩୨ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏହାଫଳରେ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।
ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୪୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୪୦୮ ରନରେ ଅଲଆଉଟ ହୋଇଯାଇଥିଲା । ତେବେ ଏହାପରେ ଭାରତ ମାତ୍ର ୧୩୧ ରନରେ ସମସ୍ତ ୱିକେଟ ହରାଇ ୩୨ ରନରେ ପରାସ୍ତ ହୋଇଥିଲା । ପ୍ରଥମ ଇନିଂସରେ କେବଳ କେଏଲ ରାହୁଲ ଶତକ ଅର୍ଜନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ କେବଳ ବିରାଟ କୋହଲି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଅନ୍ୟ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ । ଖରାପ ବ୍ୟାଟିଂ, ବୋଲିଂ ସାଙ୍ଗକୁ ଦୁର୍ବଳ ରଣନୀତି ଭାରତର ପରାଜୟର ପ୍ରମୁଖ କାରଣ ।
ତେବେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ଟେଷ୍ଟ ରେକର୍ଡ ବହୁତ ଖରାପ ରହିଛି । ସାଧାରଣ ଭାବେ କୌଣସି ଦଳ ଖରାପ ପ୍ରଦର୍ଶନ କଲେ ପରାଜୟ ଏକ ସାଧାରଣ କଥା ହୋଇଥାଏ । ମାତ୍ର ଭାରତ ଦକ୍ଷିଣ ଆଫ୍ରିକାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ ସିରିଜ କାହିଁକି ଜିତିପାରି ନାହିଁ ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ୧୯୯୨ରେ ମହମ୍ମଦ ଆଝାରୁଦିନଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ଖେଳିଥିଲା । ସେହି ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ସିରିଜକୁ କବଜା କରିନେଇଥିଲା । ତା’ପରେ ୧୯୯୬ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱରେ ଭାରତ ୨-୧ରେ ସିରିଜ ହାରିଯାଇଥିଲା ।
୨୦୦୧ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୧-୦ରେ ସିରିଜ ହାରିଯାଇଥିଲା । ୧୯୯୨ରୁ ୨୦୦୧ ପର୍ଯ୍ୟନ୍ତ ଭାରତ ଦକ୍ଷିଣ ଆଫ୍ରିକାରେ ମୋଟ ୯ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ଟିମ୍ ଇଣ୍ଡିଆ ଗୋଟିଏ ବି ମ୍ୟାଚ ଜିତିପାରି ନଥିଲା । ୨୦୦୬ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତ ଟେଷ୍ଟ ସିରିଜରେ ୨-୧ରେ ହାରିଯାଇଥିଲା । ୨୦୦୯ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜକୁ ୧-୧ରେ ଡ୍ର ରଖିବାକୁ ସକ୍ଷମ ହୋଇଥିଲା । ପୁଣି ୨୦୧୩ରେ ଧୋନୀଙ୍କ ନେତୃତ୍ୱରେ ଭାରତ ୧-୦ରେ ସିରିଜ ହାରିଯାଇଥିଲା ।
୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୨-୧ରେ ସିରିଜ୍ ହାରି ଯାଇଥିଲା । ୨୦୨୧-୨୨ରେ ମଧ୍ୟ ଭାରତ ୨-୧ରେ ପରାଜୟ ବରଣ କରିଥିଲା । ୧୯୯୨ରୁ ୨୦୨୨ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦକ୍ଷିଣ ଆଫ୍ରିକା ମାଟିରେ ମୋଟ ୮ଟି ଟେଷ୍ଟ ସିରିଜ ଖେଳା ଯାଇଥିବା ବେଳେ ସେଥିମଧ୍ୟରୁ ଭାରତ ଗୋଟିଏ ବି ସିରିଜ୍ ଜିତିବାକୁ ସକ୍ଷମ ହୋଇ ପାରିନଥିଲା । ତେବେ ବିଗତ ୩୧ ବର୍ଷର ଇତିହାସରେ ଭାରତରେ ଅନେକ ଖେଳାଳି, ଅଧିନାୟକ ବଦଳିଛନ୍ତି । କେତେବେଳେ ଭାରତର ବ୍ୟାଟିଂ ଦୁର୍ବଳ ତ ଆଉ କେତେବେଳେ ବୋଲିଂ ଦୁର୍ବଳ ଏପରି ବିଭିନ୍ନ କାରଣରୁ ଭାରତ ପରାଜୟର ସାମ୍ନା କରିଛି । ଏଥର ଭାରତର ଯୁବ ବାହିନୀ କମାଲ କରିବେ ବୋଲି ଆଶା କରାଯାଉଥିଲେ ହେଁ ଭାରତ ପୁଣି ଥରେ ତା’ର ବିଫଳତା ଜାରି ରଖିଛି ।