ହାଜମା ଖରାପ ଥିଲେ ହାଜମୋଲା ଖା’ନ୍ତୁ… ଏପରି କାହିଁକି କହିଲେ କେଶବ ପ୍ରସାଦ ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନକୁ ନେଇ ରାଜନୈତିକ ଅସ୍ଥିରତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଉତ୍ସବରେ ସାମିଲ ହେବା ନେଇ ଗୋଟେ ପଟେ ଅନେକ ବିପକ୍ଷ ଦଳକୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ସେମାନଙ୍କ ଯୋଗ ଦେବା ନେଇ ଆଶଙ୍କା ଦେଖା ଦେଇଛି ଏବଂ ଅନ୍ୟପଟେ କେତେଜଣଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏଥିମଧ୍ୟରେ ଉତ୍ତରପ୍ରଦେଶ ଡେପୁଟି ସିଏମ୍ କେଶବ ପ୍ରସାଦ ମୌର‌୍ୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବିପକ୍ଷକୁ ନିଶାଣ କରି କେଶବ ପ୍ରସାଦ କହିଛନ୍ତି, ‘କାହାର ଅନୁରୋଧରେ ମୁଁ କିଛି କହିବାକୁ ଚାହେଁ ନାହିଁ । ପ୍ରଭୁ ରାମଙ୍କ ପାଖରେ କେବଳ ଏତିକି ପ୍ରାର୍ଥନା ଯେଉଁମାନଙ୍କର ବୁଦ୍ଧି ବିଗିଡ଼ି ଯାଇଛି ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ଭଗବାନ ରାମ ସମସ୍ତଙ୍କର ଥିଲେ, ଅଛନ୍ତି ଓ ରହିବେ । ଜାନୁଆରୀ ୨୨ରେ ଭଗବାନ ରାମ ଲଲ୍ଲା ନିଜ ଜନ୍ମ ସ୍ଥାନରେ ବିରାଜମାନ ହେବେ ଏବଂ ଅନ୍ତ କାଳ ପର୍ଯ୍ୟନ୍ତ ସେଠାରେ ରହିବେ ।’ ସେ ଆହୁରି ମଧ୍ୟ କହିଥିଲେ ଯେ ଜାନୁଆରୀ ୨୨ ପରେ ମଧ୍ୟ ଲୋକମାନେ ଦର୍ଶନ ପାଇଁ ଅଯୋଧ୍ୟା ଆସିପାରିବେ । ଉତ୍ତର ପ୍ରଦେଶ ସରକାର ସେମାନଙ୍କ ସ୍ୱାଗତ ସହ ସୁରକ୍ଷା ଓ ରହଣୀ ବ୍ୟବସ୍ଥା କରିବେ । ଯେଉଁମାନଙ୍କ ହାଜମା ବିଗିଡ଼ିଯାଇଛି ସେମାନେ ହାଜମୋଲା ଖାଇପାରନ୍ତି । ସବୁ ଠିକ୍ ହୋଇଯିବ ।’