ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ନୂଆ ଇତିହାସ ରଚିଛି । ଗୋଟିଏ ଦିନରେ ୨୩ଟି ୱିକେଟ ଯିବା ଘଟଣାକୁ ନେଇ ଏବେ ଅନେକ ପୂର୍ବତନ କ୍ରିକେଟର ନିଜର ମତବ୍ୟକ୍ତ କରିଛନ୍ତି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଥିବା ବେଳେ ଟିମ୍ ଇଣ୍ଡିଆ ମଧ୍ୟ ୧୫୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ୬୨ ରନରେ ୩ଟି ୱିକେଟ ହରାଇ ପ୍ରଥମ ଦିନର ଖେଳ ସମାପ୍ତି କରିଥିଲା ।
ତେବେ ଗୋଟିଏ ଦିନରେ ୨୩ଟି ୱିକେଟ ଯିବା ୧୨୮ ବର୍ଷ ତଳର ରେକର୍ଡ ଭାଙ୍ଗିଛି । ୧୮୯୬ ମସିହାରେ ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମ୍ୟାଚରେ ପ୍ରଥମ ଦିନରେ ୨୧ଟି ୱିକେଟ ଯାଇଥିଲା । ଟେଷ୍ଟ କ୍ରିକେଟରେ ପ୍ରଥମ ଦିନରେ ସର୍ବାଧିକ ୨୫ଟି ୱିକେଟ ଯିବାର ରେକର୍ଡ ରହିଛି । ୧୯୦୨ ମସିହାରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଏହି ରେକର୍ଡ ସ୍ଥାପିତ ହୋଇଥିଲା ।
ଗୋଟିଏ ଦିନରେ ଏତେମାତ୍ରାରେ ୱିକେଟ ପଡ଼ିବାକୁ ନେଇ ଏବେ କ୍ରିକେଟ ଜଗତରେ ହଲଚଲ ସୃଷ୍ଟି ହୋଇଛି । ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ହୋଇନାହିଁ, ଗତ ୧୨୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଭାରତ ଏବେ ୩୬ ରନ ଆଗରେ ରହିଥିବା ବେଳେ ଖେଳ ଆହୁରି ୪ ଦିନ ବାକି ରହିଛି । ତେଣୁ ଏହି ଟେଷ୍ଟରେ ବିଜୟ-ପରାଜୟ ନିଶ୍ଚିତ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଏନେଇ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ନିଜର ମତାମତ ଦେଇଛନ୍ତି । ‘ଏହା କ’ଣ ଦୁଇ ଦିନର ଟେଷ୍ଟ ମ୍ୟାଚ କି ବୋଲି ସେ ପ୍ରଶ୍ନ କରିବା ସହିତ ପିଚକୁ ନେଇ କେହି କିଛି ପ୍ରତିକ୍ରିୟା ନ ଦେବାକୁ ସେ କହିଛନ୍ତି । ଫ୍ୟାନ୍ସ ତାଙ୍କର ପୋଷ୍ଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।