(Video) ପୋଖରୀର ଗୋଳିଆ ପାଣିରୁ ମିଳୁଛି ମେଞ୍ଚା ମେଞ୍ଚା ରତ୍ନ ପଥର: ପାଣି ଭିତରୁ ଛାଣି ଆଣୁଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ, ଯାହାକୁ କି କେହି ସହଜରେ ଗ୍ରହଣ କରିନଥାନ୍ତି । ତେବେ ପୋଖରୀରୁ ରତ୍ନ ପଥର ମିଳୁଛି ଏକଥା କହିଲେ କେହି ସହଜରେ ହୁଏତ ଗ୍ରହଣ କରିବେନି । ମାତ୍ର ଏପରି ଏକ ସତ ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଜ୍ୟର ଦେବଗଡ଼ ଜିଲ୍ଲାରୁ ଆସିଛି ଏଭଳି ଏକ ବଡ଼ ଖବର ।

ସୂଚନା ମୁତାବକ, ରିଆମାଳ ବ୍ଲକର ଉଟୁଣିଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ପୋଖରୀର କାଦୁଅରୁ ବାହାରୁଛି ପୁଆ ପୁରା ରତ୍ନ । ପୋଖରୀ ଖନନ ସମୟରେ ଏତେ ସଂଖ୍ୟାରେ ମୂଲ୍ୟବାନ ପଥର ଆଉ ରତ୍ନ ବାହାରୁଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଲୋକମାନେ ପୋଖରୀର ଗୋଳିଆ ପାଣି ଭିତରୁ ଛାଣି ରତ୍ନ ପଥର ନେଉଥିବା ଦେଖାଯାଇଛି ।

ଗ୍ରାମବାସୀମାନେ ରାତି ନ ପାହୁଣୁ କାହାକୁ କିଛି ନ ଜଣାଇ ଲୁଚି ଲୁଚି ଯାଇ ଶାବଳ ଆଉ କୋଡ଼ି ନେଇ ପଥର ଖୋଳି ମୂଲ୍ୟବାନ ପଥର ଆଣିବାରେ ଲାଗି ପଡ଼ିଛନ୍ତି । ଦେବଗଡ଼ ଜିଲ୍ଲାରୁ ଆସିଥିବା ଏଭଳି ଏକ ଘଟଣାକୁ ନେଇ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳ ବିଭାଜିକା ଜଳ ଅମ୍ବଳ ପ୍ରକଳ୍ପରେ ନୂତନ ପଖରୀ ଖନନ ହେଉଥିବା ବେଳେ ପେଖରୀରୁ ବହୁ ମୂଲ୍ୟବାନ ପଥର ବାହାରୁଥିବା ଦେଖିବାକୁ ମିଳିଛି । ପଖରୀ ଖନନ ସମୟରେ ଏପରି ମୂଲ୍ୟବାନ ପଥର ଦେଖି ଗ୍ରାମବାସୀ କାବା ହୋଇଯାଇଛନ୍ତି । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଏବାବଦରେ କିଛି ଜାଣିନଥିବା ବେଳେ ଶାଳ, ମହୁଲ, କାଜୁ ଓ ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ପିଠି ଉପରେ ଚାଲିଛି ବୁଲଡଜର ।