ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବର୍ଣ୍ଣଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ପ୍ରଦାନ କରିଥିବା ବେଳେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହାକୁ ଗ୍ରହଣ କରିଛନ୍ତି । ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଇମିଗ୍ରେସନ ଆଇନକୁ ନେଇ ସାରା ଦେଶରେ ଜାରି ରହିଥିବା ରାଜନୈତିକ ବିବାଦ ଯୋଗୁଁ ଏଲିଜାବେଥ୍ ବର୍ଣ୍ଣ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଦକ୍ଷତାକୁ ସୁଦୃଢ କରିବା ପାଇଁ ତଥା ଦେଶରେ ଥିବା ବିଦେଶୀମାନଙ୍କୁ ବିତାଡ଼ିତ କରିବା ପାଇଁ ଏହି ଆଇନକୁ ସମର୍ଥନ କରିଛନ୍ତି ରାଷ୍ଟ୍ରପତି ମାକ୍ରନ ।
ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବା ପରେ ଏଲିଜାବେଥ୍ ବର୍ଣ୍ଣ ମେ’ ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାରେ ଏଲିଜାବେଥ୍ ଥିଲେ ଦ୍ୱିତୀୟ ମହିଳା । ତେବେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଏଲିଜାବେଥ୍ ଦୈନିକ ଘରୋଇ ସମସ୍ୟାକୁ ପରିଚାଳନା କରିବେ ବୋଲି ରାଷ୍ଟ୍ରପତି ମାକ୍ରନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି ।