ଠିକ୍ ସମୟରେ ବ୍ରେକ୍ ନଲଗିବାରୁ ଧକ୍କା ଖାଇଲା ଚାରିମିନାର ଏକ୍ସପ୍ରେସ୍; ୩ଟି ବଗି ଲାଇନଚ୍ୟୁତ, ୬ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର ନାମପଲ୍ଲୀସ୍ଥିତ ହାଇଦ୍ରାବାଦ ଡେକାନ୍‌ ରେଳ ଷ୍ଟେସନରେ ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସର ୩ଟି ବଗି ବୁଧବାର ଅପରାହ୍ନରେ ଲାଇନଚ୍ୟୁତ ହେବାଫଳରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତାମ୍ବାରାମରୁ ହାଇଦ୍ରାବାଦର ନାମପଲ୍ଲୀ ଟର୍ମିନାଲ ଷ୍ଟେସନକୁ ଆସୁଥିବା ଟ୍ରେନ୍ ନମ୍ବର ୧୨୭୫୯/୧୨୭୬୦ ଚାରିମିନାର ଏକ୍ସପ୍ରେସର ଯାତ୍ରୀମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା ଯେତେବେଳେ ବୁଧବାର ବିପଦ ସଙ୍କେତ ଅତିକ୍ରମ କରି ପ୍ଲାଟଫର୍ମର ଶେଷ ଭାଗରେ ବାଲି ବ୍ୟାରିୟରରେ ଧକ୍କା ଖାଇଥିଲା। ହାଇଦ୍ରାବାଦ ଡେକାନ୍‌ ରେଳ ଷ୍ଟେସନ ହେଉଛି ଟ୍ରେନର ଶେଷ ଗନ୍ତବ୍ୟସ୍ଥଳ।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକୋ ପାଇଲଟ ଠିକ୍ ସମୟରେ ବ୍ରେକ୍ ଲଗାଇନଥିବାରୁ ଟ୍ରେନ୍ଟି ପ୍ଲାଟଫର୍ମ ଅତିକ୍ରମ କରିବା ସହ ୩ଟି ବଗି ଲାଇନଚ୍ୟୁତ ହେବାଫଳରେ ୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନେ ପ୍ରବେଶ ଦ୍ୱାର ନିକଟରେ ଏବଂ ଫୁଟ୍ ବୋର୍ଡରେ ଓହ୍ଲାଇବାକୁ ଅପେକ୍ଷା କରିଥିବା ବେଳେ ଏସ୍ ୨, ଏସ୍ ୩ ଓ ଏସ୍ ୬ ବଗି ଲାଇନଚ୍ୟୁତ ହେବାରୁ ସେମାନେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ।

ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ବୋଲି ଏସସିଆରର ଜଣେ ଅଧିକାରୀ କହିଛନ୍ତି। ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସ ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାଇରୁ ବାହାରିବା ପରେ ଟ୍ରେନ୍‌ଟି ବୁଧବାର ଅପରାହ୍ନରେ ହାଇଦ୍ରାବାଦରେ ପହଞ୍ଚିଥିଲା। ତେବେ, ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ରେଳବାଇ ଅଧିକାରୀ ଜଣକ କହିଛନ୍ତି।