fbpx
BJD
BJD SKY
BJD SKY

ଏସିଆକୁ ଜିତିବା ପରେ ବର୍ତ୍ତମାନ ବିଶ୍ୱକୁ ଆଲିଙ୍ଗନ କରିବାକୁ ଝାଡ଼ଖଣ୍ଡ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ନୂଆଦିଲ୍ଲୀ: ଏଫଆଇଏଚ ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ ୨୦୨୪ ପାଇଁ ସମସ୍ତ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଆସନ୍ତା ୧୩ ରୁ ୧୯ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ଏହି ବିଶ୍ୱସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟ ଚୀନରେ ଆୟୋଜିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଚୀନର ମହିଳା ହକି ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟ ପରବର୍ତ୍ତୀ ସମୟରେ ଭାରତକୁ ସ୍ଥାନାନ୍ତରିତ ହୋଇଥିଲା ।

ରାଞ୍ଚିର ମାରଙ୍ଗ ଗୋମକେ ଜଇପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସର ୩ଟି ସ୍ଥାନ ପାଇଁ ମୋଟ ୮ଟି ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଭାରତ, ଚିଲି, ଚେକ୍ ରିପବ୍ଲିକ, ଜର୍ମାନୀ, ଇଟାଲି, ଜାପାନ, ନ୍ୟୁଜିଲାଣ୍ଡ ଓ ଆମେରିକା ଏଥିରେ ଭାଗ ନେବେ । ଏନେଇ ଗତ ୩ ତାରିଖରେ ଭାରତୀୟ ମହିଳା ହକି ଟିମର ଗୋଲକିପର ସବିତା ପୁନିଆ ରାଞ୍ଚିଠାରେ ପହଞ୍ଚିବା ସହ ଦଳର ଅଭିଯାନ ଆରମ୍ଭ କରିଥିଲେ ।

ଭାରତୀୟ ମହିଳା ହକି ଦଳ ଏବେ ଭଲ ଫର୍ମରେ ରହିଛି । ଗତ ବର୍ଷ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦଳ ଜାପାନକୁ ପରାସ୍ତ କରିଥିଲା । ଏଥିସହିତ ଏସୀୟ କ୍ରୀଡ଼ା ୨୦୨୩ ଓ କମନୱେଲଥ ଗେମ୍ସରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବା ସହ ଯଥାକ୍ରମେ ଚତୁର୍ଥ ଓ ତୃତୀୟ ସ୍ଥାନ ଅଧିକାର କରିଥିଲା । ଆସନ୍ତା ୧୩ ତାରିଖରେ ଭାରତ ପ୍ରତିପକ୍ଷ ଆମେରିକାକୁ ଭେଟିବ । ସେହିପରି ଆସନ୍ତା ୧୪ରେ ନ୍ୟୁଜିଲାଣ୍ଡକୁ, ୧୬ରେ ଇଟାଲିକୁ ଭେଟିବ । ୧୮ ତାରିଖରେ ସେମିଫାଇନାଲ ଖେଳାଯିବ । ଫାଇନାଲ ଓ ତୃତୀୟ ସ୍ଥାନ ପାଇଁ ୧୯ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବ ।

ତେବେ ଏଫଆଇଏଚ ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ ୨୦୨୪ ପରି ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିବା ଝାଡ଼ଖଣ୍ଡ ପାଇଁ ନିଶ୍ଚିତ ଭାବେ ଏବେ ଗୌରବର କଥା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ‘ଝାଡ଼ଖଣ୍ଡ… ଏସିଆକୁ ଜିତିବା ପରେ ବର୍ତ୍ତମାନ ବିଶ୍ୱକୁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ’ ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.