fbpx

କର୍ପୂରୀ ଠାକୁରଙ୍କୁ ‘ଭାରତରତ୍ନ’- ଏହା ପଛର ରାଜନୈତିକ ଉଦ୍ଦେଶ୍ୟ କ’ଣ? ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ମାରିଲା ମାଷ୍ଟରଷ୍ଟ୍ରୋକ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଏହାକୁ ନେଇ ଦେଶର ରାଜନୈତିକ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଗତ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରି ବିଜେପି ସାରା ଦେଶରେ ନୂଆ ହାୱା ସୃଷ୍ଟି କରିଥିବା ବେଳେ ପୁଣି ଖେଳିଛି ଏକ ଗେମ୍ । ଜାନୁଆରୀ ୨୪ ତାରିଖରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଜନ୍ମ ଜୟନ୍ତୀ ପଡ଼ୁଥିବା ବେଳେ କେନ୍ଦ୍ର ସରକାର ତାଙ୍କୁ ମରଣୋତ୍ତର ‘ଭାରତରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବୟାନ ଜାରି କରାଯାଇଛି ।

ତେବେ ଅଚାନକ ବିହାରର ଏହି ଜନନାୟକ କାହିଁକି ମନେପଡ଼ିଲେ ସେନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ବିହାରକୁ ନେଇ ବିଜେପି ଏକ ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଉଛି । କର୍ପୂରୀଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରି ବିଜେପି ପଛୁଆ ବର୍ଗଙ୍କୁ ଏକ ବଡ଼ ସନ୍ଦେଶ ଦେବାକୁ ପ୍ରୟାସ କରିଛି । ଦଳ ଯଦି ଏଥିରେ ସଫଳ ହୁଏ ତେବେ ତାହା ଆଗାମୀ ନିର୍ବାଚନରେ ଭୋଟ ବ୍ୟାଙ୍କକୁ ଭରିବାରେ ସହାୟକ ହୋଇପାରିବ ।

ଦେବେ କର୍ପୂରୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯିବା ପରେ ତାଙ୍କର ପୁଅ ତଥା ଜେଡିୟୁ ରାଜ୍ୟସଭା ସାଂସଦ କହିଛନ୍ତି ‘ଆମକୁ ୩୬ ବର୍ଷର ତପସ୍ୟାର ଫଳ ମିଳିଛି ।’ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ବିପକ୍ଷ ଦଳଙ୍କ ରାଜନୀତିର ରଙ୍ଗ ବେରଙ୍ଗ ହୋଇଯାଇଥିବା ବେଳେ ପଛୁଆବର୍ଗକୁ ନେଇ ବିଜେପି ପୁଣି ଚଉକା ମାରିଛି । ପୂର୍ବରୁ ବିହାରର ଦୁଇ ପ୍ରମୁଖ ରାଜନେତା ଲାଲୁ ପ୍ରସାଦ ଯାଦବ ଓ ନୀତିଶ କୁମାର କର୍ପୂରୀଙ୍କୁ ଭାରତରତ୍ନ ପ୍ରଦାନ ନେଇ ମାହୋଲ ସୃଷ୍ଟି କରିଥିଲେ ହେଁ ସେଥିରେ ସଫଳ ହୋଇନଥିଲେ । ଏ କ୍ଷେତ୍ରରେ ବିଜେପି ଗୋଟିଏ ପାଦ ଆଗକୁ ଯାଇପାରିଛି ।

ଶ୍ରୀ ଠାକୁର ଦେଶର ପ୍ରଥମ ଉପମୁଖ୍ୟମନ୍ତ୍ରୀ ଓ ବିହାରର ଦୁଇଥର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ନାଈ ଜାତିର ଥିଲେ । ବିହାର ରାଜନୀତି ଜାତିକୁ ବାଦ୍ ଦେଇ କେବେ ବି ତିଷ୍ଠିବନି ଏକଥା ମୋଦୀ-ଅମିତ ଶାହଙ୍କ ମାଇଷ୍ଟ ଡିକ୍ସିନାରୀ ଭଲ ଭାବେ ଜାଣିଛି । ତେଣୁ ଠିକଣା ସମୟରେ ଠିକଣା ଶର ମାରି ଭାଜପା ବିରୋଧୀ ଶିବିରର ବଡ଼ ବଡ଼ ରଥୀଙ୍କୁ ଏକପ୍ରକାର ଚୁପ୍ କରାଇ ଦେଇଛି । ଗୋଟିଏ ନିଷ୍ପତ୍ତିରେ ଦଳ ଏକାଧିକ ଶିକାର କରିବାରେ ସଫଳ ହୋଇଛି । ଶ୍ରୀ ଠାକୁର ୧୦୦ରୁ ଅଧିକ ଛୋଟ-ବଡ଼ ଜାତିର ନେତା ରହିଥିଲେ ଓ ମୃତ୍ୟୁ ପରେ ବି ରହିଛନ୍ତି । ଏହି ଜାତି ଏକାକୀ କୌଣସି ବଡ଼ ଧରଣର ରାଜନୈତିକ ଉତ୍ତରାଧିକାରୀତ୍ୱ ହାସଲ କରିନଥିଲେ ବି ୨୦ ପ୍ରତିଶତ ଭୋଟ ବ୍ୟାଙ୍କ ହାତେଇବାର କ୍ଷମତା ରଖିଥାଏ । ବିଜେପିର ମାଷ୍ଟରଷ୍ଟ୍ରୋକର ଫଳାଫଳ ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.