fbpx

ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହଙ୍କ ପତ୍ନୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଚିତ୍ରା ସିଂହଙ୍କ ମୃତ୍ୟୁ ଘଟିଛି। ମାନବେନ୍ଦ୍ର ସିଂହ ଓ ତାଙ୍କ ପୁଅ ହମିର ସିଂହ ଆହତ ହୋଇଛନ୍ତି। ସେ ଅଲଓ୍ଵାରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଲୱାର ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଜପେୟୀ ସରକାରରେ ବୈଦେଶିକ ବ୍ୟାପାର, ପ୍ରତିରକ୍ଷା ଓ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ରେ ଥିବା ଯଶବନ୍ତ ସିଂହଙ୍କ ପୁଅ ହେଉଛନ୍ତି ମାନବେନ୍ଦ୍ର ସିଂହ।

ମାନବେନ୍ଦ୍ର ସିଂହ ବାଡ଼ମେର-ଜୈସଲମେର ଲୋକସଭା ଆସନରୁ ଏକକାଳୀନ ସାଂସଦ ଥିଲେ। ମୂଳତଃ ବାଲୋତ୍ରାର ଜସୋଲର ବାସିନ୍ଦା ମାନବେନ୍ଦ୍ର ସିଂହ ଏବେ ତାଙ୍କ ପରିବାର ସହ ଯୋଧପୁରରେ ରହୁଛନ୍ତି। ଅଲୱାର ଜିଲ୍ଲାପାଳ ଆଶିଷ ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଅପରାହ୍ନ ପ୍ରାୟ ସାଢ଼େ ୪ଟାବେଳେ ଏହି ଘଟଣା ଘଟିଛି। ମାନବେନ୍ଦ୍ର ସିଂହଙ୍କ ଗାଡ଼ି ଡିଭାଇଡର ସହ ଧକ୍କା ହେବାଫଳରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମାନବେନ୍ଦ୍ର ସିଂହଙ୍କ ପାଂଜଳୀ ଓ ଫୁସଫୁସରେ ଆଘାତ ଲାଗିଥିଲେ ମଧ୍ୟ ସେ ବିପଦମୁକ୍ତ ଅଛନ୍ତି। ତେବେ ତାଙ୍କ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ଅଲଓ୍ଵାର ହସ୍ପିଟାଲରେ ଚାଲିଛି ଚିକିତ୍ସା ।

ଏହି ଦୁଃଖଦ ଖବର ଉପରେ ପ୍ରତିକ୍ରିୟା ରଖି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଟୁଇଟ୍ କରିଛନ୍ତି। ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

 

Get real time updates directly on you device, subscribe now.