fbpx

କେରଳ ଅର୍ଥନୀତିରେ ସୂର୍ଯ୍ୟୋଦୟ… ବଜେଟ ଅଧିବେଶନ ରଖିଲେ ରାଜ୍ୟର ଅର୍ଥମନ୍ତୀ ବାଲାଗୋପାଲ

ଥିରୁଅନନ୍ତପୁରମ: ସୋମବାର କେରଳର ଅର୍ଥମନ୍ତ୍ରୀ କେ.ଏନ ବାଲାଗୋପାଲ ନିଜର ଚତୁର୍ଥ ତଥା ସର୍ବବୃହତ ବଜେଟ ଉପସ୍ଥାପନ କରିଛନ୍ତି । ରାଜ୍ୟକୁ ଅର୍ଥନୀତିର ସୂର୍ଯ୍ୟୋଦୟ ବୋଲି ସମ୍ବୋଧନ କରିଛନ୍ତି ଅର୍ଥମନ୍ତ୍ରୀ ବାଲାଗୋପାଲ । କେରଳକୁ ଆର୍ଥିକ ସଂକଟରୁ ରକ୍ଷା କରିବାକୁ ଘରୋଇ ପୁଞ୍ଜି ବିନିଯୋଗ(Private Investment) ପାଇଁ ଏକ ରାସ୍ତା ଖୋଲିଥିବା କହିଛନ୍ତି କେରଳର ଅର୍ଥମନ୍ତ୍ରୀ । ଭବିଷ୍ୟତରେ ଟେକନୋଲୋଜିର ବ୍ୟବହାର, ଚାହିଦାରେ ଅବିଶ୍ୱସନୀୟ ବୃଦ୍ଧି ଏବଂ ଅର୍ଥନୈତିକ ବିକାଶକୁ ‘ଅର୍ଥନୀତିରେ ସୂର୍ଯ୍ୟୋଦୟ’ର ଆଧାର ବୋଲି ସେ ବଜେଟରେ କହିଛନ୍ତି ।

ଏହି ବଜେଟରେ ୧,୩୮,୬୫୫ କୋଟିର ଆୟ ପାଇଁ ଆଶା କରାଯାଉଥିବା ବେଳେ ୧,୮୪,୩୨୭ କୋଟି ଟଙ୍କା ଖର୍ଚ୍ଚ ଦର୍ଶାଇଛନ୍ତି ଅର୍ଥମନ୍ତ୍ରୀ ବାଲାଗୋପାଲ । ତେବେ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଜିଡିପିର ପ୍ରାୟ ୨.୧୨% ବା ୨୭,୮୪୬ କୋଟି ଟଙ୍କାର ରାଜସ୍ୱ ଅଭାବ ରହିଛି । ସେହିପରି ଜିଡିପିର ୩.୪% ଅର୍ଥାତ୍ ୪୪,୫୨୯ କୋଟି ଟଙ୍କାର ଆଥିକ ନିଅଣ୍ଟ ବଜେଟ ଅଧିବେଶନରେ ଦର୍ଶାଯାଇଛି । ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟକୁ ୩ ଲକ୍ଷ କୋଟି ଟଭ୍କା ଦେବା ନେଇ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ଅର୍ଥମନ୍ତ୍ରୀ ବାଲାଗୋପାଲ । ତେବେ ପର୍ଯ୍ୟଟନ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ଯାହା ଖୁବ କମ୍ ସମୟରେ ଶେଷ ହୋଇପାରିବ । ଭିଜିଞ୍ଜାମ ଏବଂ କୋଚିନ୍ ବନ୍ଦର ତଥା ଏହାର ଆଖପାଖ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ, କୋଚି ସହିତ ପାଲକ୍କଡ ଓ କନ୍ନୁରର ଶିଳ୍ପ କରିଡର ଗୁଡ଼ିକର ବିକାଶ ଇତ୍ୟାଦିକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ମେ ମାସରୁ ଭିଜିଞ୍ଜାମ ବନ୍ଦର କାର୍ୟ୍ୟ ଆରମ୍ଭ ହେବ। ସେହିପରି କେରଳରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟରେ ମେଡିକାଲ, ଉଚ୍ଚ ଶିକ୍ଷା ଏବଂ ରୋବୋଟିକ୍ସ ହବ୍ ମଧ୍ୟ ସାମିଲ କରାଯାଇଛି । କେରଳ ପ୍ରତି କେନ୍ଦ୍ର ଅବହେଳା କରୁଥିବା ଦର୍ଶାଇ ଏହାକୁ ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ବାଲାଗୋପାଲ । ରାଜ୍ୟକୁ ଇତିହାସର ସବୁଠାରୁ ଖରାପ ସଂକଟକୁ ଠେଲି ଦିଆଯାଉଥିବା ବେଳେ କେରଳ ଏହାକୁ ମୂକ ଭାବରେ ଗ୍ରହଣ କରିପାରିବ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

Get real time updates directly on you device, subscribe now.