fbpx

ଗୋଟିଏ ମୂଳାର ଓଜନ ୬ କେଜି ୮୦୦ ଗ୍ରାମ୍: ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, କେଉଁଠୁ ମଞ୍ଜି ଆଣିଥିଲେ ଚାଷୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମର ଆଖପାଖରେ କିଛି ନୂଆ ଘଟଣା ଦେଖିବାକୁ ମିଳିଥାଏ । ବେଳେବେଳେ ଚାଷୀମାନେ ସାଧାରଣ ଶସ୍ୟ ବା ପରିବାଠାରୁ କାହିଁ କେତେ ଗୁଣରେ ବଡ଼ ସାମଗ୍ରୀ ଉତ୍ପାଦନ କରି ସଭିଙ୍କୁ ଚକିତ କରିଦେଇଥାନ୍ତି । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । କିଲେ କି ଦୁଇକିଲେ ନୁହେଁ ୬ କେଜିରୁ ଅଧିକ ଓଜନ ବିଶିଷ୍ଟ ଏକ ମୂଳାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

ସୂଚନା ମୁତାବକ, କେନ୍ଦ୍ରାପଡ଼ାର ରାଜକନିକା ବ୍ଲକରୁ ଆସିଛି ଏକ ବଡ଼ ଖବର । ବ୍ଲକର ନଳପୋଖରୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ୬ କେଜି ୮୧୦ ଗ୍ରାମର ଓଜନର ଏକ ବଡ଼ ମୂଳା ଫଳିଛି । ଏହି ବୃହତ୍ ମୂଳାକୁ ଦେଖିବା ପାଇଁ ଲୋକଙ୍କର ସୁଅ ଛୁଟିଛି । ଗ୍ରାମର ନିରୋଦ ନାୟକ ତାଙ୍କ ପରିବାର ପାଇଁ ଅଳ୍ପ ଜାଗାରେ ମୂଳା ଚାଷ କରିଥିଲେ । ତେବେ ଗୋଟିଏ ମୂଳା ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଥିଲା । ଏହାପରେ ନିରୋଦ ତାହାକୁ ଗତ ୧୫ ତାରିଖ ଦିନ ଓପାଡ଼ି ଦେଇଥିଲେ ।

ଏହାଉପରେ ଉକ୍ତ ମୂଳାକୁ ଓଜନ କରିବାକୁ ତାହା ୬ କେଜିରୁ ଅଧିକ ଓଜନ ହୋଇଥିଲା । ନିରୋଦ ଚଳିତ ବର୍ଷ ଚାନ୍ଦବାଲିରୁ ୨୦ ଗ୍ରାମର ମୂଳା ମଞ୍ଜି ଆଣି ବାଡ଼ିରେ ଲଗାଇଥିଲେ ଓ ସେ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ କରୁଥିଲେ । ତେବେ ନିରୋଦଙ୍କ ମୂଳା କିଆରେ ଆଉ ଏକ ମୂଳାର ଓଜନ ୪ କେଜି ରହିଥିବା ବେଳେ ଅନ୍ୟ ମୂଳାଗୁଡ଼ିକର ଓଜନ ପାଖାପାଖି ୧ କେଜି ରହିଛି । ନିରୋଦଙ୍କ ଏହି ମୂଳା ଚାଷକୁ ନେଇ ସାରା ଜିଲ୍ଲାରେ ବଡ଼ ଚର୍ଚ୍ଚା ହେବାରେ ଲାଗିଛି । ଲୋକମାନେ ବିଭିନ୍ନ ଅଞ୍ଚଳରୁ ଯାଇ ଉକ୍ତ ମୂଳାକୁ ଦେଖିବା ସହିତ ମୂଳା ଚାଷ ସମ୍ପର୍କରେ ନିରୋଦଙ୍କଠାରୁ ପଚାରି ବୁଝୁଛନ୍ତି ।

Get real time updates directly on you device, subscribe now.