fbpx

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି, ବୃଦ୍ଧି ପାଇବ ରାତି ତାପମାତ୍ରା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଂଚଳରେ ସକ୍ରୀୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡ଼ି ଦେଖିବାକୁ ମିଳିଛି । ଆଗାମୀ ୩ ଦିନ ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ତେଣୁ ଆଗାମୀ ୬ରୁ ୭ ଦିନ ଯାଏଁ ଶୀତ ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ୧୫ ମିଟର ଦୂରକୁ ରାସ୍ତା ଦେଖାଯାଉନାହିଁ । ଫଳରେ ରାସ୍ତାର ଦୁଇକଡେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଘନ କୁହୁଡ଼ିକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ୨୪ ଜିଲ୍ଲାକୁ ସତର୍କ କରିଛନ୍ତି । ଯାନବାହନ ଚଳାଚଳ ଉପରେ ଜିଲ୍ଲାପାଳ ଓ ଏସପି ତୀକ୍ଷଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି। ଏହି ସମୟରେ ଯାତାୟାତ ତଥା ଜାତୀୟ ରାଜପଥ ଗୁଡିକରେ ପରିବହନରେ ବାଧା ଉପୁଜିପାରେ ।

 

Get real time updates directly on you device, subscribe now.