fbpx

ପୁରୀ-କୋଣାର୍କରୁ ଚାଲିବ ଟ୍ରେନ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶା ଭାସ୍କର: ପୁରୀ କୋଣାର୍କରୁ ଚାଲିବ ଟ୍ରେନ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୩୨ କି.ମି ନୂଆ ରେଳ ଲାଇନ ଯୋଗାଯୋଗ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ପ୍ରକଳ୍ପ ପାଇଁ ୨୧୫ ହେକ୍ଟର ଜମିର ଆବଶ୍ୟକତା ପଡିବ। ରାଜ୍ୟ ସରକାର ସହଯୋଗ କଲେ ଜମି ଅଧିଗ୍ରହଣ ଆରମ୍ଭ କରାଯିବ। ତା’ପରେ କାମ ଆରମ୍ଭ କରାଯିବ। ଏଥିପାଇଁ ଟଙ୍କା ଅଛି, ଡିଜାଇନ୍‌ ପାଖାପାଖି ସରି ଆସିଲାଣି ବୋଲି ରେଳ ମନ୍ତ୍ରୀ କହିଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଟ୍ରାକ୍‌ରେ ଭିଷ୍ଟାଡୋମ୍‌ ଟ୍ରେନ୍‌ ଚଲିବ। ଭିଷ୍ଟାଡୋମ୍‌ ଟ୍ରେନ୍‌ ବଗିର ଦୁଇ ପାର୍ଶ୍ୱ ଓ ଉପର ଛାତ କାଚରେ ତିଆରି। ସେହି ଟ୍ରେନ୍‌ରେ ପର୍ଯ୍ୟଟକମାନେ ଯାତ୍ରା କଲେ ପ୍ରାକୃତିକ ସୌନ୍ଦ୍ୟର୍ଯ୍ୟକୁ ପୂରାପୂରି ଉପଭୋଗ କରିପାରିବେ। ତାହା ସହିତ ଟ୍ରେନ୍‌ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କରେ ଲୋକମାନଙ୍କୁ ତଥ୍ୟ ଦିଆଯିବ। ସେହିପରି ପୁରୀରୁ କୋଣାର୍କ ରୁଟ୍‌ରେ ୩ରୁ ୪ଟି ସ୍ଥାନରେ ସ୍ପେଶାଲ୍‌ ପର୍ଯ୍ୟଟନ ହେରିଟେଜ୍‌ ହବ୍‌ ନିର୍ମାଣ କରାଯିବ। ସେଥିରେ ଲୋକାମାନେ ଆସି ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶିତ କରିପାରିବେ। ତାହା ପାଇଁ ଜାଗା ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଶ୍ରୀ ବୈଷ୍ଣବ କହିଛନ୍ତି, ଗତ ୧୦ବର୍ଷ ଭିତରେ ପାଖାପାଖି ୧୦ ହଜାର କୋଟି ଟଙ୍କାରେ ୪୦୯ଟି ରେଲୱେ ଓଭର ବ୍ରିଜ୍‌ ଓ ଅଣ୍ଡର ପାସ୍‌ ନିର୍ମାଣ ହୋଇଛି। ଏବେ ୨୨୦ ରେଲୱେ ଓଭର ବ୍ରିଜ୍‌ ଓ ଅଣ୍ଡର ପାସ୍‌ ନିର୍ମାଣ କାର୍ୟ୍ୟ ଚାଲିଛି। ଏହି ସବୁ କାମ ଶୀଘ୍ର ସରୁ ବୋଲି ମହାପ୍ରଭୁଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି।

Get real time updates directly on you device, subscribe now.