Big Breaking; ଅଫେରା ରାଇଜରେ ‘ସ୍ୱରର ଯାଦୁଗର’ ଅମିନ ସୟାନୀ: ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ: ଆଜି ସାରା ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ରେଡିଓ ଜଗତରେ ସ୍ୱରର ଯାଦୁଗର ଭାବରେ ଜଣାଶୁଣା ରେଡିଓ ଉପସ୍ଥାପକ ଅମିନ ସୟାନୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୧ ବର୍ଷ ବୟସରେ ହୃଦଘାତ ଯୋଗୁଁ ଆଖି ବୁଜିଛନ୍ତି ରେଡିଓ ଦୁନିଆର ମହାନ୍ ଉପସ୍ଥାପକ । ଅମିନ ସୟାନୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁତ୍ର ରଜିଲ ସୟାନୀ ସ୍ପଷ୍ଟ ସୂଚନା ଦେଇଛନ୍ତି । ବରିଷ୍ଠ ଉପସ୍ଥାପକଙ୍କ ନିଧନରେ କେବଳ ରେଡିଓ ଜଗତ ନୁହେଁ, ସମଗ୍ର ମନୋରଞ୍ଜନ ଦୁନିଆକୁ ଶୋକର କଳାବାଦଲ ଢାଙ୍କି ଦେଇଛି ।

ଅମିନ ସୟାନୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁତ୍ର ରଜିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତକାଲି ଅମିନ ସୟାନୀଙ୍କର ହୃଦଘାତ ହୋଇଥିଲା । ଯାହାପରେ ତାଙ୍କୁ ତୁରନ୍ତ ଏଚ.ଏନ ରିଲାଏନ୍ସ ହସ୍ପିଟାଲକୁ ନେଇ ଯାଇଥିଲେ ପରିବାର ଲୋକେ । କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅମିନ ସୟାନୀ ପ୍ରାଣ ତ୍ୟାଗ କରିଛନ୍ତି । ଆଜି ଶେଷ ଦର୍ଶନ ପରେ ଆସନ୍ତାକାଲି ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ରଜିଲ ।

୧୯୩୨ ମସିହା ଡିସେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିବା ଅମିନ ସୟାନୀ ରେଡିଓ ଜଗତରେ ଖୁବ ପ୍ରସିଦ୍ଧିଲାଭ କରି ପାରିଛନ୍ତି । ତାଙ୍କ ସ୍ୱରର ଯାଦୁ ସମସ୍ତ ଶ୍ରୋତାଙ୍କୁ ବାନ୍ଧି ରଖିପାରିଥିଲା । ତେବେ ଅଲ୍ ଇଣ୍ଡିଆ ରେଡିଓରୁ ରେଡିଓ ଉପସ୍ଥାପକ ଭାବରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଭାଇ ହାମିଦ ସୟାନୀ ତାଙ୍କୁ ଏଥିରେ ସୁଯୋଗ ଦେଇଥିଲେ । ୧୦ ବର୍ଷ ପର୍ଯ୍ୟନ୍ତ ଏଠାରେ ଇଂରାଜୀ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଭାରତରେ ଅଲ ଇଣ୍ଡିଆ ରେଡିଓକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଅମିନ ସୟାନୀ ।