ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଆଜି ସୁପ୍ରିମକୋର୍ଟ ପରିସରରେ ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ସମୟରେ ସେ କୋଭିଡ୍ ମହାମାରୀ ସମୟର ଅନୁଭବକୁ ସେୟାର କରିଛନ୍ତି । ସେ କହିଥିଲେ କି, କୋଭିଡ୍ ବ୍ୟାପିବା ପରଠାରୁ ମୁଁ ଆୟୁଷ ସହ ଜଡିତ ହୋଇରହିଛି । ମୁଁ କୋଭିଡ୍ରେ ଭୀଷଣ ଭାବରେ ପୀଡିତ ହୋଇଥିଲି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଫୋନ୍ କରି କହିଥିଲେ, ଆପଣ କୋଭିଡ୍ରେ ପୀଡିତ ଥିବାରୁ ଆମେ ସମସ୍ତେ ଆପଣଙ୍କ ଲାଗି ଚିନ୍ତିତ । ଆଶା କରୁଛୁ ଆପଣ ଶୀଘ୍ର ସୁସ୍ଥ ହୋଇଯିବେ ।
ଏହାସହିତ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ମୁଁ ଜାଣୁଛି କି ଆପଣଙ୍କ ଅବସ୍ଥା ଭଲ ନାହିଁ । କିନ୍ତୁ ଆମେ ଆପଣଙ୍କ ଲାଗି ସବୁକିଛି କରିବୁ । ଜଣେ ବୈଦ୍ୟ ଅଛନ୍ତି ଯିଏ ଆୟୁଷ ସଚିବ ଅଟନ୍ତି ଓ ମୁଁ ତାଙ୍କ ସହ ଏକ କଲ୍ ବ୍ୟବସ୍ଥା କରିଦେଉଛି । ସେ ଆପଣଙ୍କୁ ମେଡିସିନ୍ ଓ ସବୁକିଛି ପଠାଇ ଦେବେ ।
ସେ କହିଛନ୍ତି ଯେତେବେଳେ ମୁଁ କୋଭିଡ୍ରେ ପୀଡିତ ଥିଲି ସେତେବେଳେ ମୁଁ ଆୟୁଷ ମେଡିସିନ୍ ଖାଇଥିଲି । ଏହି ସମୟରେ ମୁଁ ଏଲୋପାଥିକ୍ ମେଡିସିନ୍ ଆଦୌ ବି ଖାଇ ନ ଥିଲି । ମୁଖ୍ୟ ବିଚାରପତି କହିଛନ୍ତି ମୁଁ ଯୋଗ କରିଥାଏ ଓ ଶାକାହାରୀ ଭୋଜନ ଗ୍ରହଣ କରିଥାଏ । ଗତ ୫ ବର୍ଷ ହେବ ମୁଁ ସଂପୂର୍ଣ୍ଣ ଭାବରେ ଶାକାହାରୀ ଭୋଜନ ଗ୍ରହଣ କରୁଛି ଓ ଆଗକୁ ମଧ୍ୟ ଏହା ଜାରି ରଖିବି ।