fbpx

କ୍ରୀଡ଼ା ଜଗତରେ ଦୁଃଖର ଲହରୀ: ଆଖି ବୁଜିଲେ ୩୪ ବର୍ଷୀୟ ଯୁବ କ୍ରିକେଟର

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖଦ ଖବର । ମାତ୍ର ୩୪ ବର୍ଷ ବୟସରେ ଜଣେ ଯୁବକ କ୍ରିକେଟରଙ୍କ ବିୟୋଗ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି, ମ୍ୟାଚ ବିଜୟର ଖୁସି ମନାଉଥିବା ସମୟରେ ସତେ ଯେମିତି ମୃତ୍ୟୁ ମାଡ଼ି ଆସିଥିଲା । କ୍ରିକେଟର ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ, ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏଜିସ ସାଉଥ ଜୋନ ଟୁର୍ଣ୍ଣାମେଣ୍ଟ ଅବସରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକର ୩୪ ବର୍ଷୀୟ କ୍ରିକେଟ କେ. ହୋୟସାଲା ହାର୍ଟ ଆଟାକରେ ମୃତ୍ୟୁ ବରଣ କରିଥିଲେ । ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିବା ବେଳେ ଜଣେ ଯୁବ ଖେଳାଳିଙ୍କ ବିୟୋଗକୁ ନେଇ ଚାରିଆଡ଼େ ଶୋକର ଲହରୀ ଖେଳିଯାଇଥିଲା । ବେଙ୍ଗାଲୁରୁର ଆରଏସଆଇ ଗ୍ରାଉଣ୍ଡରେ ଏହି ଘଟଣା ଘଟିଥିଲା ।

ତାମିଲନାଡ଼ୁ ବିପକ୍ଷରେ ବିଜୟ ହାସଲ କରିବା ପରେ କର୍ଣ୍ଣାଟକର ଖେଳାଳିମାନେ ବିଜୟ ଉତ୍ସବ ମନାଉଥିବା ସମୟରେ ହୋୟସାଲା ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲକୁ ନିଆଯାଇଥିଲା । ମାତ୍ର ସମସ୍ତ ପ୍ରୟାସ ବୃଥା ଯାଇଥିଲା । ହୋୟସାଲାଙ୍କ ବିୟୋଗ ନେଇ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ କ୍ରୀଡ଼ା ଜଗତର ବହୁ ବରିଷ୍ଠ ଅଧିକାରୀ ଶୋକ ବ୍ୟକ୍ତ କରିଛନ୍ତି । ହୋୟସାଲା ଅଣ୍ଡର-୨୫ ବର୍ଗରେ କର୍ଣ୍ଣାଟକ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଓ ବୋଲର ଥିଲେ । ଏଥିସହିତ ସେ କର୍ଣ୍ଣାଟକ ପ୍ରିମିୟର ଲିଗରେ ମଧ୍ୟ ଖେଳିଥିଲେ ।

Get real time updates directly on you device, subscribe now.