ସନ୍ଦେଶଖାଲି ମାମଲା: ମମତା ସରକାରଙ୍କୁ ମିଳିଲାନି ଆଶ୍ୱସ୍ତି, ଶୀଘ୍ର ଶୁଣାଣିର ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟ ଯାଇଥିଲେ। ଏବେ ଏହି ପ୍ରସଙ୍ଗରେ ମମତା ସରକାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ପାଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ଏହି ପ୍ରସଙ୍ଗରେ କୌଣସି ଅଶ୍ଵସ୍ତି ପାଇନାହାଁନ୍ତି। ଶୁଣାଣି ପାଇଁ ଏପର୍ଯ୍ୟନ୍ତ ସମୟ ସ୍ଥିର ହୋଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ସମୟ ଦେବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଶୁଣାଣି କେବେ ହେବ CJI ନିଷ୍ପତ୍ତି ନେବେ। ଶାହାଜାହାନ୍ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କରାଯିବା ନେଇ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ସରକାର କରିଥିଲେ ଶୀଘ୍ର ଶୁଣାଣିର ଦାବି ।
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଅଭିଷେକ ମନୁ ସିଂଘଭୀ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ସିଂଘଭୀ କହିଛନ୍ତି ଯେ, ଶୀଘ୍ର ଶୁଣାଣି ହେବା ଉଚିତ ନଚେତ୍ ଆମକୁ ହାଇକୋର୍ଟଙ୍କ ଆଦେଶର ଅବମାନନା କରିବାକୁ ପଡିବ। ସେହିପରି ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ, ପ୍ରଧାନ ବିଚାରପତିଙ୍କ ସହ ଯୋଗାଯୋଗ କରନ୍ତୁ, ସେ ମାମଲାର ଶୀଘ୍ର ଲିଷ୍ଟ କରିବା ଉପରେ ନିଷ୍ପତ୍ତି ନେବେ । ମଧ୍ୟାହ୍ନ ଭୋଜନ ପରେ ପ୍ରଧାନବିଚାରପତି କେବେ ଶୁଣାଣି ହେବ ବୋଲି ନିଷ୍ପତ୍ତି ନେବେ।