fbpx

(video)ଶ୍ରୀନଗର ର‌୍ୟାଲିରେ ୬୪୦୦ କୋଟି ମୂଲ୍ୟର ପରିଯୋଜନାର ଶୁଭାରମ୍ଭ କଲେ ମୋଦୀ, ମହୁମାଛି ଚାଷୀଙ୍କ ସହ ସେଲ୍‌ଫି ନେବାକୁ ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ‘ବିକଶିତ ଭାରତ , ବିକଶିତ ଜାମ୍ମୁ କାଶ୍ମୀର’ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଏହି ସମୟରେ ପ୍ରଧାନମନ୍ତ୍ରୀ ବହୁ ବିକାଶ ପରିଯୋଜନାର ଅନାବରଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ର‌୍ୟାଲିରେ ୬୪୦୦ କୋଟି ମୂଲ୍ୟର ୫୨ ଗୋଟି ବିକାଶ ପରିଯୋଜନାର ଶୁଭାରମ୍ଭ ତଥା ଲୋକାର୍ପଣ ହୋଇଛି ।

ଏହି ଅବସରରେ ଜାମ୍ମୁ କାଶ୍ମୀରବାସୀଙ୍କୁ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଏସବୁ ଆପଣଙ୍କ ହୃଦୟ ଜିତିବା ପାଇଁ କରୁଛି ଓ ଆଗକୁ ମଧ୍ୟ ଏହି ଚେଷ୍ଟା ଜାରି ରଖିବି । ଏହା ମୋଦୀର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ପୃଥିବୀର ସ୍ୱର୍ଗକୁ ଆସିବାର ଏହି ଅନୁଭୂତିକୁ ମୁଁ ଭାଷାରେ ବର୍ଣ୍ଣନା କରିପାରିବି ନାହିଁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ର‌୍ୟାଲି ସମୟରେ ଜାମ୍ମୁ କାଶ୍ମୀର ଜନତାଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ସମୟରେ ପୁଲୱାମାରେ ରହୁଥିବା ଜଣେ ମହୁମାଛି ଚାଷୀ ନାଜିମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେଲଫି ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ କି ମୁଁ ମୋର ସ୍ୱତନ୍ତ୍ର ସୁରକ୍ଷା ବଳ (ଏସପିଜି)ଙ୍କ ସହ ଏ ବିଷୟରେ କଥା ହେବି ଓ କାର୍ଯ୍ୟକ୍ରମ ପରେ ଆପଣଙ୍କ ସହ ଜରୁର ସେଲଫି ନେବି ।

ଏହି ସମୟରେ ସେ ନାଜିମଙ୍କୁ ପ୍ରଶ୍ନ କରିଥିଲେ କି ଯେତେବେଳେ ପାଠ ପଢୁଥିଲ ସେତେବେଳେ ତୁମର ସ୍ୱପ୍ନ କ’ଣ ଥିଲା । ଉତ୍ତରରେ ନାଜିମ କହିଥିଲେ ଘରଲୋକେ ଚାହୁଁଥିଲେ ମୁଁ ଡାକ୍ତର ହେବି , ଇଂଜିନିୟର ହେବି କିନ୍ତୁ ମୁଁ ଏହି କାମ ଆରମ୍ଭ କରିଥିଲି ଓ ସେତେବେଳେ ମୋତେ ଅନୁଭୂତ ହୋଇଥିଲା କି ଏହି କାମ ମୋ ଇଚ୍ଛା ଅନୁରୂପ ଅଟେ । ୬୦,୦୦୦ଟଙ୍କା ଋଣ କରି ସେ ଏହି ଚାଷ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ।

Get real time updates directly on you device, subscribe now.