ନୂଆଦିଲ୍ଲୀ: ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ବୀମା ସୁଗମ ପୋର୍ଟାଲକୁ ମଞ୍ଜୁରୀ ଦିଆଯାଇଛି । ଆଇଆରଡିଏଆଇର ଏହି ନିଷ୍ପତ୍ତି ପରେ ଏଣିକି ଗ୍ରାହକଙ୍କ ପାଇଁ ବୀମା ପଲିସୀ କ୍ରୟ ଠାରୁ ଆରମ୍ଭ କରି ଇନସ୍ୟୁରାନ୍ସ ସେଟଲମେଣ୍ଟ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ବହୁତ ସହଜ ହୋଇପାରିବ । ଏବେ ବୀମା କ୍ରୟ ପାଇଁ ସମସ୍ତ କମ୍ପାନୀର ୱେବସାଇଟକୁ ଯିବା ଓ ଏଜେଣ୍ଟଙ୍କ ସହିତ ସମ୍ପର୍କ କରିବା କ୍ଷେତ୍ରରେ ଗ୍ରାହକ ପାଇଁ ଏକ ବିକଳ୍ପ ଉପଲବ୍ଧ ହେବ ।
ବୀମା ସୁଗମ ପୋର୍ଟାଲ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଗ୍ରାହକମାନେ ଇନସ୍ୟୁରାନ୍ସ ପ୍ରଡକ୍ଟସର ତୁଳନା କରି ନିଜର ଆବଶ୍ୟକତା ଅନୁସାରେ ତାହାକୁ କିଣିପାରିବେ । ଏହି ପ୍ଲାଟଫର୍ମରେ ସମସ୍ତ ବୀମା କମ୍ପାନୀର ତଥ୍ୟ ମିଳିବ । ଏଥିସହିତ ପଲିସୀଧାରୀଙ୍କୁ ପ୍ରିମିୟମର ତୁଳନା କରିବାର ମଧ୍ୟ ସୁଯୋଗ ମିଳିବ । ବୀମା ସୁଗମ ପୋର୍ଟାଲରେ ସାଧାରଣ ଇନସ୍ୟୁରାନ୍ସ ସହିତ ଜୀବନ ବୀମା ନିଗମ ଓ ସ୍ୱାସ୍ଥ୍ୟ ବୀମା କମ୍ପାନୀର ତଥ୍ୟ ମିଳିବ ବୋଲି ଆଇଆରଡିଏଆଇ ପକ୍ଷରୁ କୁହାଯାଇଛି ।
ଏହି ପୋର୍ଟାଲକୁ ନିଜ ପକ୍ଷରୁ ମଞ୍ଜୁରୀ ଦେବା ପରେ ଆଇଆରଡିଏଆଇ ପକ୍ଷରୁ କୁହାଯାଇଛି, ଏହି ପୋର୍ଟାଲ ଲଞ୍ଚ ହେବା ଫଳରେ ଗ୍ରାହକଙ୍କ ସହିତ ବୀମା କମ୍ପାନୀ ଓ ଏଜେଣ୍ଟମାନେ ଏକ ୱାନ-ଷ୍ଟପ ସଲ୍ୟୁସନ ପାଇବେ । ଏହାଦ୍ୱାରା ପଲିସୀ କ୍ରୟ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆସିବ । ସେହିପରି କିଛି ଏକ୍ସପର୍ଟଙ୍କ ମତରେ, ବୀମା ସୁଗମ ପୋର୍ଟାଲ ଇନସ୍ୟୁରାନ୍ସ ସେକ୍ଟର ପାଇଁ ଏକ ଗେମ ଚେଞ୍ଜର ହେବ । ଏହି ପ୍ଲାଟଫର୍ମରେ ଗ୍ରାହକମାନେ ଅଲଗା ଅଲଗା ବୀମା ପ୍ରଡକ୍ଟସକୁ ତୁଳନାକୁ କରିପାରିବେ । ଏହାଦ୍ୱାରା ଇନ୍ସ୍ୟୁରାନ୍ସ ସେଣ୍ଟଲମେଣ୍ଟ ଦ୍ରୁତ ହୋଇପାରିବ । ଫଳରେ ଇନସ୍ୟୁରାନ୍ସ ସେକ୍ଟରେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କର ବିଶ୍ୱସନୀୟତା ବୃଦ୍ଧି ପାଇବ । ଏହି ପୋର୍ଟାଲକୁ ଏବେ ମଞ୍ଜୁରୀ ମିଳିସାରିଥିବା ବେଳେ ଖୁବଶୀଘ୍ର ଏହାକୁ ଲଞ୍ଚ କରାଯିବ ।