କେଜ୍ରିୱାଲଙ୍କୁ ଝଟ୍‌କା ପରେ ଝଟ୍‌କା, ଏହି ଆବେଦନକୁ ବି କୋର୍ଟ କଲେ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ତିହାର ଜେଲ୍‌ରେ ରହିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ରାଉଜ୍ ଆଭେନ୍ୟୁ କୋର୍ଟରୁ ତାଙ୍କୁ ପୁଣି ଶକ୍ତ ଧକ୍କା ଲାଗିଛି । କେଜ୍ରିୱାଲ ନିଜ ଓକିଲଙ୍କୁ ସପ୍ତାହରେ ୫ ଥର ଭେଟିବାକୁ କୋର୍ଟରେ ଅନୁମତି ମାଗିଥିଲେ । ତେବେ କୋର୍ଟ ତାଙ୍କର ଏହି ଆବଦନ ଖାରଜ କରିଦେଇଛନ୍ତି ।

ନିୟମ ଅନୁସାରେ କେଜ୍ରିୱାଲ ଏବେ ସପ୍ତାହରେ ନିଜ ଓକିଲଙ୍କୁ ମାତ୍ର ୨ ଦିନ ଭେଟିପାରିବେ । କେଜ୍ରିୱାଲଙ୍କ ପକ୍ଷରୁ କୁହାଯାଇଛି କି ତାଙ୍କ ବିରୁଦ୍ଧରେ ୩୦ରୁ ଅଧିକ କେସ୍ ଚାଲୁ ରହିଛି । ତେଣୁ ଏପରି ସ୍ଥିତିରେ ସପ୍ତାହରେ କେବଳ ୨ ଥର ସାକ୍ଷାତ କେସ୍‌କୁ ବୁଝିବା ଓ ନିର୍ଦ୍ଦେଶ ଦେବା ପର୍ଯ୍ୟାପ୍ତ ହେବ ନାହିଁ । କିନ୍ତୁ ଇଡି ପକ୍ଷରୁ ଏହାର ବିରୋଧ କରାଯାଇ କୁହାଯାଇଛି କି ଜେଲ୍ ମାନୁଆଲ ଏହି କଥାକୁ ଅନୁମତି ଦେବ ନାହିଁ । ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ଓକିଲ ଜରିଆରେ ସରକାର ଚଳାଇବା ପାଇଁ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦିଆଯାଇ ପାରିବ ନାହିଁ । ରାଉଜ୍ ଆଭେନ୍ୟୁ କୋର୍ଟ ୨ ପକ୍ଷର ଯୁକ୍ତିକୁ ଶୁଣିବା ପରେ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । କେଜ୍ରିୱାଲ ଇଡି ଦ୍ୱାରା କରାଯାଇଥିବା ଗିରଫଦାରୀକୁ ହାଇକୋର୍ଟରେ ଆହ୍ୱାନ କରିଥିଲେ । ଗତ ମଙ୍ଗଳବାର ଏହି ମାମଲାରେ ହାଇକୋର୍ଟ ନିଜର ରାୟ ଶୁଣାଇଥିଲେ । କୋର୍ଟ କେଜ୍ରିୱାଲଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗକୁ ଠିକ୍ ବୋଲି କହିବା ସହ କୌଣସି ପ୍ରକାର ଆଶ୍ୱସ୍ତି ଦେବାକୁ ମନା କରି ଦେଇଥିଲେ ।

Get real time updates directly on you device, subscribe now.