ଏବେ ଟ୍ରେନରେ ଆରାମରେ ଶୋଇ ଶୋଇ କରନ୍ତୁ ଯାତ୍ରା, ଗନ୍ତବ୍ୟ ସ୍ଥଳ ଆସିଲେ ଆପଣଙ୍କ ପାଖକୁ ଆସି ଟିଟିଇ ଦେବ ସୂଚନା

ନୂଆଦିଲ୍ଲୀ:ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଓ ଏହି ରୁଟ୍ ସହ ଆପଣ ପରିଚିତ ନୁହଁନ୍ତି ତେବେ ଗନ୍ତବ୍ୟ ଷ୍ଟେସନ କେବେ ଆସିବ ତାହାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ କେବଳ ଟ୍ରେନରେ ଯାତ୍ରା କରିବାର ଆନନ୍ଦ ନିଅନ୍ତୁ । ଆପଣଙ୍କ ଷ୍ଟେସନ କେବେ ପଡିବ, ଆଉ କେତେ ଦୂର ଅଛି ଏହାସବୁ ଜଣେଇବାର ଦାୟିତ୍ୱ ଟିଟିଇଙ୍କର । ସେ ଏହା ଆପଣଙ୍କୁ ଜଣାଇବେ ।

ଭାରତୀୟ ରେଲୱେର ଏହି ସମୟରେ ପ୍ରାୟ ୧୦,୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରୁଛି । ଏହି ଟ୍ରେନରେ ବାର୍ଷିକ ୮୦୦କୋଟି ଲୋକ ଯାତ୍ରା କରୁଛନ୍ତି । ସେହିପରି ଦୈନିକ ୨ କୋଟି ପାଖାପାଖି ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି । ଏମାନଙ୍କ ମଧ୍ୟରେ ଏପରି ଲୋକ ଅଛନ୍ତି ଯେଉଁମାନେ ନୂଆ ରୁଟ୍‌ରେ ଯାତ୍ରା କରୁଛନ୍ତି । ଏପରି ଯାତ୍ରୀଙ୍କୁ ଚିନ୍ତା ରହିଥାଏ କି ତାଙ୍କ ଷ୍ଟେସନ କେତେ ସମୟ ପରେ ଆସିବ । କିଛି ଯାତ୍ରୀ ଆପ୍ ସହାୟତାରେ ଏ ବିଷୟରେ ପତ୍ତା ଲଗାଇଥାନ୍ତି । କିନ୍ତୁ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ସ୍ମାର୍ଟଫୋନ୍ ଅପରେଟ୍ କରନ୍ତି ନାହିଁ । ସେମାନଙ୍କ ଲାଗି ଏପରି ସମସ୍ୟା ଉପୁଜିଥାଏ । ତେବେ ଏପରି ଯାତ୍ରୀଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଯାତ୍ରୀଙ୍କୁ ଷ୍ଟେସନ ସମ୍ବନ୍ଧିତ ସୂଚନା ଦେବା ଲାଗି ରେଳବାଇରେ ନିୟମ ରହିଛି । ଏହି ନିୟମ ଜରିଆରେ ଟ୍ରେନ୍‌ରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଷ୍ଟେସନ ସମ୍ବନ୍ଧରେ ସୂଚନା ଦେବା ଟିଟିଇଙ୍କ ଦାୟିତ୍ୱ । କେଉଁ ଷ୍ଟେସନ ଗଲାଣି, କେଉଁ ଷ୍ଟେସନ ଆସୁଛି, ଯାତ୍ରୀଙ୍କ ଗନ୍ତବ୍ୟ କେବେ ଆସିବ ଏହି ପ୍ରକାର ପ୍ରଶ୍ନର ଜବାବ ଦେବା ଟିଟିଇଙ୍କ ଦାୟିତ୍ୱ ଅଟେ । ଯଦି ଟିଟିଇ ଆପଣଙ୍କୁ ଷ୍ଟେସନ ସମ୍ବନ୍ଧିତ ସୂଚନା ଦେଉନାହାନ୍ତି ତେବେ ଆପଣ ଏହାକୁ ନେଇ ୧୩୯ ନଂରେ ଅଭିଯୋଗ କରିପାରିବେ । ଯଦି ଆପଣ ମୋବାଇଲ୍ ଏସଏମଏସ୍ ଜରିଆରେ ଅଭିଯୋଗ ଦାଖଲ କରିବେ ତେବେ ୯୭୧୭୬୮୦୯୮୨ ନଂରେ ଅଭିଯୋଗ ପଠାଇ ପାରିବେ ।

Get real time updates directly on you device, subscribe now.