ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ମେ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟିଂ ହେବ । ସେଥିମଧ୍ୟରୁ କଟକରେ ହେବାକୁ ଥିବା ହାଇଭୋଲଟେଜ୍ ଲଢ଼େଇ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଛି ।
ଏଥର ବିଜେପି ତରଫରୁ ଭର୍ତ୍ତୃହରି ମହତାବ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ରାଜନୀତିରେ ଭର୍ତ୍ତୃହରିଙ୍କର ୨୬ ବର୍ଷର ଅଭିଜ୍ଞତା ରହିଥିବା ବେଳେ କର୍ପୋରେଟ୍ ଜଗତର ବଡ଼ ଚେହେରା ସଂତୃପ୍ତ ପ୍ରଥମ ଥର ଲୋକସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ । ରାଜନୀତିରେ ଜଣେ ନବୀନ ହୋଇଥିବା ବେଳେ ଜଣେ ପ୍ରବୀଣ । ଜନତା ଯାହାକୁ ବାଛିବେ ସେ ହେବେ କିଙ୍ଗ । ଜନତାଙ୍କ ଜନାଦେଶ ଆଗରେ ସବୁବେଳେ ଅର୍ଥବଳ, ବାହୁବଳ, ଅଭିଜ୍ଞତା ହାର ମାନିଥାଏ । ତେଣୁ କଟକବାସୀ ଏଥର କାହାକୁ ବାଛିବେ ତାହା ଜଣାପଡ଼ିବ ।
ଗତ ଲୋକସଭା ନିର୍ବାଚନରେ ଭର୍ତ୍ତୃହରି ବିଜେଡି ତରଫରୁ ପ୍ରାର୍ଥୀ ହୋଇ ୧ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ । ଭର୍ତ୍ତୃହରିଙ୍କୁ ୫ ଲକ୍ଷରୁ ଅଧିକ ଭୋଟ୍ ମିଳିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଓଡ଼ିଶାର ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ୪ ଲକ୍ଷରୁ ଅଧିକଭୋଟ୍ ମିଳିଥିଲା । ଚଳିତ ବର୍ଷ ଏହି ଆସନର ପ୍ରାର୍ଥୀ ବଦଳିଥିବା ବେଳେ ଦୁଇ ଦଳର ପ୍ରାର୍ଥୀମାନେ ନିଜ ନିଜ ରଣନୀତିରେ ଆଗକୁ ବଢ଼ିବେ । ଏହି ଆସନରେ ଭର୍ତ୍ତୃହରିଙ୍କର ଏକ ବଡ଼ ସଂଗଠନ ରହିଥିବା ବେଳେ ନୂଆ ସଂଗଠନ ତିଆରି ପାଇଁ ସଂତୃପ୍ତଙ୍କୁ ଦଳର ବରିଷ୍ଠ ନେତାମାନେ ସହଯୋଗ କରିବେ ।
ସେହିପରି କଂଗ୍ରେସ ଏଥର ଜଣେ ଭେଟେରାନ୍ ଲିଡର ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ସୁରେଶ ପୂର୍ବରୁ ୨୦୧୨ରେ ଆଠଗଡ଼ ବିଧାନସଭା ଉପନିର୍ବାଚନ, ୨୦୨୪ କଟକର ସହର ବିଧାନସଭା, ୨୦୦୯ ବାରବାଟୀ-କଟକ ଓ ୨୦୧୪ରେ ଚୌଦ୍ୱାର-କଟକରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଏକଦା କଟକ ଲୋକସଭା ଆସନରୁ କଂଗ୍ରେସ ଜିତୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଟକ ସଂସଦୀୟ କ୍ଷେତ୍ରରୁ ଏକାଧିକ ବାର ବିଜୟୀ ହୋଇଥିଲେ । ତେଣୁ ଦଳର ପାରମ୍ପରିକ ଭୋଟ ବ୍ୟାଙ୍କକୁ ଅକ୍ତିଆର କରିବା ସୁରେଶଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।