fbpx

କିଏ ଖୋଲିଥାଏ ଷ୍ଟ୍ରଙ୍ଗ୍‌ରୁମର ଚାବି ? ଭୋଟ୍ ଗଣତି ପାଇଁ କିଏ ଚୟନ କରିଥାଆନ୍ତି ଏଜେଣ୍ଟ ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଘୋଷଣା ହେବ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । କିଏ ଗଢିବ ସରକାର ତାହାକୁ ନେଇ ସବୁ ସ୍ପଷ୍ଟ ହେବ । ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । କିନ୍ତୁ ଆପଣ କେବେ ଭାବିଛନ୍ତି ଭୋଟ ଗଣତି କିପରି ହୋଇଥାଏ ? ଗଣନା ଦିନ ଷ୍ଟ୍ରଙ୍ଗରୁମ୍‌‌ ଚାବି କିଏ ଖୋଲିଥାଆନ୍ତି ? କିଏ କିଏ ଭୋଟ ଗଣତି କେନ୍ଦ୍ର ଭିତରକୁ ଯାଇପାରିବେ ଏବଂ ଭୋଟ ଗଣତି ପରେ ଇଭିଏମ୍‌‌ କଣ ହୁଏ ? ଏତେ ସବୁ କୌତୂହଳପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା ।

କିଏ ଖୋଲିଥାଏ ଷ୍ଟ୍ରଙ୍ଗରୁମ୍‌‌ ଚାବି ?

ଭୋଟ ଗଣତି ଦିନ ସକାଳ ପ୍ରାୟ ୭ଟା ପାଖାପାଖି ପ୍ରତ୍ୟେକ ଦଳର ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ୍‌‌ ଚାବି ଖୋଲାଯାଏ । ଏହି ସମୟରେ ନିର୍ବାଚନ ଆୟୋଗଙ୍କ ରିଟର୍ଣ୍ଣିଂ ଅଫିସର ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥାନ୍ତି ।  ସିସିଟିଭି ନଜରରେ ମଧ୍ୟ ପୁରା ଷ୍ଟ୍ରଙ୍ଗରୁମ୍‌‌ ରହିଥାଏ ଏବଂ ଏହି ସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଥାଏ । । ଇଭିଏମକୁ ଟେବୁଲ ଉପରେ ରଖିବା ପରେ କଣ୍ଟ୍ରୋଲ ୟୁନିଟ୍‌‌ ସହିତ ୟୁନିଟ୍‌‌ ଆଇଡିର ସିଲ୍‌‌ ମିଶାଯାଇଥାଏ ଯାହା ପ୍ରତ୍ୟେକ ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟଙ୍କୁ ମଧ୍ୟ ଦେଖାଯାଇଥାଏ । ଏହାବାଦ କଣ୍ଟ୍ରୋଲ ୟୁନିଟ୍‌‌ ବଟନ୍‌‌ ଦବାଇବା ପରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଭୋଟ୍‌‌ ଇଭିଏମରେ ତାଙ୍କ ନାମ ପାଖରେ ଦେଖାଯିବା ପରେ ଗଣତି ଆରମ୍ଭ ହୋଇଥାଏ ।

ଭୋଟ ଗଣନା ପାଇଁ କର୍ମଚାରୀ କିପରି ଚୟନ କରାଯାଏ ? 

ଯେକୌଣସି ଗଣନା କେନ୍ଦ୍ରର ଗୋଟିଏ ହଲରେ ସମୁଦାୟ ୧୫ଟି ଟେବୁଲର ବ୍ୟବସ୍ଥା କରାଯାଏ । ଗଣନା ପାଇଁ ୧୪ଟି ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଗୋଟିଏ ଟେବୁଲ ରହିଥାଏ । କେଉଁ କର୍ମଚାରୀ କେଉଁ ଟେବୁଲରେ ଗଣତି କରିବେ ତାହା ଗୁପ୍ତ ରଖାଯାଏ । ଗଣନା ଦିନ ସକାଳ ୫ଟାରୁ ୬ଟା ମଧ୍ୟରେ ପ୍ରତ୍ୟେକ ଜିଲାର ନିର୍ବାଚନ ଅଧିକାରୀମାନେ କର୍ମଚାରୀମାନଙ୍କୁ ହଲ ଏବଂ ଟେବୁଲ ବଣ୍ଟନ କରିଥାନ୍ତି ।

କେତେବେଳେ ଆରମ୍ଭ ହୋଇଥାଏ ଭୋଟ ଗଣତି ? 

ସାଧାରଣତଃ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥାଏ । କୌଣସି ପରିସ୍ଥିତିରେ ସମୟରେ ପରିବର୍ତ୍ତନ କରିବାର କ୍ଷମତା କେବଳ ରିଟର୍ଣ୍ଣିଂ ଅଫିସର ପାଖରେ ରହିଛି । ସର୍ବପ୍ରଥମେ ପୋଷ୍ଟାଲ ବାଲାଟ୍‌‌ ଏବଂ ଇଲେକ୍ଟ୍ରୋନିକ୍‌‌ ପୋଷ୍ଟାଲ ବାଲାଟ୍‌‌ ଗଣତି ହୋଇଥାଏ । ଏଥିରେ ପ୍ରାୟ ୩୦ମିନିଟ୍‌‌ ସମୟ ଲାଗିଥାଏ । ପୋଷ୍ଟାଲ୍‌‌ ବାଲାଟ୍‌‌ ଗଣତି ପରେ ଇଭିଏମ୍‌‌ ଭୋଟ ଗଣତି କରାଯାଏ ଯାହା ସକାଳ ୯ଟାରେ ଆରମ୍ଭ ହୁଏ ।

ଗଣତି କେନ୍ଦ୍ରରେ କେତେଜଣ ଏଜେଣ୍ଟ ଉପସ୍ଥିତ ଥାଆନ୍ତି ? 

ନିର୍ବାଚନ ଆୟୋଗର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗଣନା ସେଣ୍ଟରର ପ୍ରତ୍ୟେକ ଟେବୁଲରେ ପ୍ରର୍ଥୀଙ୍କ ପକ୍ଷରୁ ଜଣେ ଲେଖାଏଁ ଏଜେଣ୍ଟ ଉପସ୍ଥିତ ରହିପାରିବେ । କୌଣସି ହଲରେ ୧୫ରୁ ଅଧିକ ଏଜେଣ୍ଟ ରହିପାରିବେ ନାହିଁ ।

କିଏ ଚୟନ କରିଥାଏ ଏଜେଣ୍ଟ ? 

ପ୍ରତ୍ୟେକ ପ୍ରାର୍ଥୀ ନିଜର ଏଜେଣ୍ଟ ଚୟନ କରିଥାନ୍ତି । ଜିଲା ଅଧିକାରୀଙ୍କୁ ସେମାନଙ୍କ ନାଁ, ଫଟୋ ଭଳି ଅନ୍ୟାନ୍ୟ ସୂଚନା ପ୍ରଦାନ କରିଥାନ୍ତି । ଗଣନା ତାରିଖର ଗୋଟିଏ ଦିନ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କ ଫଟୋ ସହିତ ପ୍ରତ୍ୟେକ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ନାମ ପ୍ରକାଶ କରନ୍ତି।

ଗଣତି କେନ୍ଦ୍ର ଭିତରକୁ କିଏ କିଏ ଯାଇପାରିବେ ? 

ଗଣତି କେନ୍ଦ୍ର ଭିତରକୁ କେବଳ ଗଣନାକାରୀ କର୍ମଚାରୀ, ରିଟର୍ଣ୍ଣିଂ ଅଫିସର, ସୁରକ୍ଷାକର୍ମୀ ଏବଂ ଏଜେଣ୍ଟଙ୍କୁ ଯିବାର ଅନୁମତି ରହିଛି । ଗଣନା କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଏଜେଣ୍ଟମାନେ କେହି ବି ବାହାରକୁ ଯିବାକୁ ଅନୁମତି ମିଳିନଥାଏ । ଗଣନା କେନ୍ଦ୍ରରେ ସୁରକ୍ଷାକର୍ମୀ ଏବଂ ଅଧିକାରୀଙ୍କ ବ୍ୟତୀତ କାହାକୁ ମୋବାଇଲ ନେବାର ଅନୁମତି ନାହିଁ  ।

Get real time updates directly on you device, subscribe now.