fbpx

(Video) ‘ନବୀନ’ ଯୁଗର ଅବସାନ… ୨୪ ବର୍ଷ କ୍ଷମତାକୁ ଝୁରୁଛି ସାରା ଓଡ଼ିଶା, ଗ୍ରହଣ କରିପାରୁନି ଓଡ଼ିଆ ଜାତି

ଓଡ଼ିଶା ଭାସ୍କର: ନବୀନ ପଟ୍ଟନାୟକ, ଓଡ଼ିଶା ରାଜନୀତିର ମହାନ ଜନନାୟକ । ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯିଏ ବିକଶିତ ଓଡ଼ିଶାର ସାରଥୀ, ଅଭାବୀ ଓଡ଼ିଶାର ପ୍ରଭାବୀ ନେତା, ଅନ୍ଧାରୀ ରାଇଜରେ ଖୁସିର ଆଲୋକ ଏବଂ ଅଧାଗଢା ଓଡ଼ିଶାର ବିଶିଷ୍ଟ ଶିଳ୍ପକାର ଆଉ ସେ ହିଁ ପ୍ରାଚୀନ ଓଡ଼ିଶାର ପ୍ରକୃତ ନବୀନ । ହାତରେ ତୁଳୀ ଧରି ଅଧାପନ୍ତରାରେ ରହିଥିବା ଓଡ଼ିଶାରେ ଭରି ଦେଇଛନ୍ତି ସବୁଜିମା । ଦୁଃଖ ଦୁର୍ଦ୍ଦଶାରେ ବଞ୍ଚୁଥିବା ପରିବାରକୁ ଦେଖାଇଛନ୍ତି ଖୁସିର ନୂଆ ଆଲୋକ । ଯିଏ ଭଗ୍ନ ପ୍ରାଚୀନ ଓଡ଼ିଶାକୁ ଚାରୁ ଚିତ୍ରପଟରେ ସଜାଇ ଦେଇଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତିକୁ ଦେଇଛନ୍ତି ସ୍ୱତନ୍ତ୍ର ପରିଚୟ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ମାନଚିତ୍ର ଆଜି ସାରା ପୃଥିବୀରେ ଦୃଶ୍ୟମାନ ଯାହା ଚେଷ୍ଟାରେ, ସେ ହେଉଛନ୍ତି ଓଡ଼ିଶାର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କିନ୍ତୁ ଦୁଃଖର ବିଷୟ ଯେ, ଆଜି ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । ୨୦୨୪ ନିର୍ବାଚନରେ ପରାଜୟ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହାନ ଜନନାୟକ ନବୀନ ପଟ୍ଟନାୟକ । ରାଜ୍ୟ ନିର୍ବାଚନର ଫଳାଫଳ ଘୋଷଣା ପରେ ରାଜ୍ୟପାଳଙ୍କୁ ଭେଟି ସେ ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ତାଙ୍କର ଏହି ଇସ୍ତଫା ପରେ ଶେଷ ହୋଇଛି ଏକ ବିରାଟ ଯୁଗର ଅବସାନ । ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ନବୀନ । ଆଉ ସେହି ଦିନରୁ ଆରମ୍ଭ ହୋଇଥିଲା ଓଡ଼ିଶାର ବିକାଶଧାରା । ଦିନେ ମହାବାତ୍ୟାରେ ଓଡ଼ିଶାର ଆଶା, ଆକାଂକ୍ଷା ଆଉ ସ୍ୱପ୍ନ ସବୁ ଭାଙ୍ଗି ଚୁମାର ହୋଇଯାଇଥିବା ବେଳେ ବିକାଶର ମଞ୍ଜି ପୋତିଥିଲେ ନବୀନ ପଟ୍ଟନାୟକ । ଆଜି ସେହି ମଞ୍ଜି ଏକ ମହାଦ୍ରୁମ ହୋଇ କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସାରା ବିଶ୍ୱରେ ପରିଚିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ୧ ନମ୍ବର କରିବା ଉଦ୍ଦେଶ୍ୟରେ ଆଗେଇ ଯାଇ ସେ ନିଜେ ପାଲଟିଗଲେ ଭାରତର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉ କି କଳିଙ୍ଗ ଷ୍ଟାଡିୟମ, ମୋ ବସ୍-ଲକ୍ଷ୍ମୀ ବସ୍ ହେଉ ବା ଆହାର କେନ୍ଦ୍ର, କାଳିଆ ଯୋଜନା ହେଉ କି ବିଏସକେୱାଇ, ସବୁଠି ଓଡ଼ିଆଙ୍କ ଦୁଃଖ ବୁଝିବାକୁ ଖୋଲିଥିଲେ ସୁବିଧାର ନୂଆ ବାଟ । ପ୍ରତିଟି ଓଡ଼ିଆଙ୍କ ବିପଦର ବନ୍ଧୁ ହୋଇ ଠିଆ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୯ ମସିହା ବାତ୍ୟାରେ ଓଡ଼ିଶା ଛିନ୍ନଭିନ୍ନ ହୋଇଯାଇଥିଲା । ସେଦିନ ଅଭାବ ଅନାଟନ ହାହାକାରରେ କାନ୍ଦୁଥିବା ରାଜ୍ୟ ଆଜି ଶସ୍ୟ-ଶ୍ୟାମଳ ଆଉ ସଫଳତାର ଗାଥା ଗାଉଛି । ଆଉ ଏହି ସଫଳତା ଗୀତର ପ୍ରକୃତ ରଚୟିତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । କିନ୍ତୁ ଆଜି ସେହି ନବୀନ ଯୁଗରେ ପୂର୍ଣ୍ଣଚ୍ଛେଦ ପକାଇଛି ଜନତାଙ୍କ ମତ । ଯେଉଁ ଓଡ଼ିଶାବାସୀଙ୍କ ପାଇଁ ନିଜ ଜୀବନକୁ ପର କରି ଦେଇଥିଲେ ନବୀନ, ଆଜି ସେହି ଜନତା ହିଁ ତାଙ୍କୁ ପର କରି ଦେଇଛନ୍ତି । ନବୀନଙ୍କ ପାଖରୁ ମୁଖ୍ୟମନ୍ତ୍ରୀ ଗାଦି ଛଡ଼ାଇ ନେଇଛନ୍ତି ନବୀନଙ୍କ ପ୍ରିୟର ଓଡ଼ିଶାବାସୀ ।

ଏହାସହିତ ଓଡ଼ିଶା ରାଜନୀତିରେ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି । ଆଜି ପୂର୍ବାହ୍ନ ସାଢେ ୧୧ ଟାରେ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ ।  ଇସ୍ତଫା ପରେ କୋହଭରା ଛାତି ଲୁହ ଭିଜା ଆଖିରେ ରାଜ୍ୟପାଳଙ୍କ ନିକଟରୁ ପେରି ଆସିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏଭଳି ଜଣେ ଜନନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାନ୍ଦି ଉଠିଛି କୋଟିକୋଟି ଓଡ଼ିଆଙ୍କ ମନ । ନବୀନ ପଟ୍ଟନାୟକଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ଇତିହାସରେ ଜଣେ ବୋଲି କହିଛନ୍ତି ଓଡ଼ିଶାବାସୀ ।

Get real time updates directly on you device, subscribe now.