fbpx

ଲୋକସଭାକୁ ୧୦ ବର୍ଷ ପରେ ମିଳିବ ବିରୋଧୀ ନେତା ପଦ, କେବେ ତିଆରି ହୋଇଥିଲା ଏ ପଦ..

ଲୋକସଭାକୁ ୧୦ ବର୍ଷ ପରେ ମିଳିବ ବିରୋଧୀ ନେତା ପଦ, କେବେ ତିଆରି ହୋଇଥିଲା ଏ ପଦ..
ଓଡିଶାଭାସ୍କର: ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଗୋଟିଏ କଥା ଦୃଢୋକ୍ତିର ସହ କହୁଥିଲେ ଯେ ଗତ ୧୦ ବର୍ଷ ହେବ ନିଜର କାର୍ଯ୍ୟକାଳ ସମୟରେ ଜଣେ ବି ବିରୋଧୀ ଦଳ ନେତାଙ୍କୁ ପାଇବାର କମି ତାଙ୍କ ପାଖରେ ରହିଯାଇଛି । ସେଥିପାଇଁ ତାଙ୍କ ମନରେ ଦୁଃଖ ଅଛି ବୋଲି ମଧ୍ୟ ସେ କଟାକ୍ଷ କରିଥିଲେ ଇଣ୍ଡିଆମେଣ୍ଟକୁ । ମାତ୍ର ମୋଦୀଙ୍କ ପୀଡା ବୋଧେ କମ ହୋଇ ଯାଇଥିବେ ଏବେ । ଜନତାଜନାର୍ଦ୍ଦନ ତାଙ୍କୁ ମଜବୁତ ବିପକ୍ଷ ଦେଇଛନ୍ତି । ମୋଦୀଙ୍କ କଥା ବାସ୍ତବରେ ସଠିକ ଥିଲା, ୧୦ ବର୍ଷ ଯାଏଁ ଖାଲି ପଡିଥିଲା ବିରୋଧୀ ଦଳ ନେତା ପଦ । ଯାହା ଏବେ ପୂରଣ ହୋଇଯିବ । ମାତ୍ର ଏହା ଏତେ ବଡ କଥା ବି ନୁହେଁ । ଲୋକସଭାରେ ୧୯୮୦, ୧୯୮୯, ୨୦୧୪ ରୁ ୨୦୨୪ ଯାଏଁ ଖାଲି ଥିଲା ।

ଜବାହାରଲାଲ ନେହେରୁ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମୟରେ କୌଣସି ବିପକ୍ଷ ଦଳ ନେତା ନ ଥିଲେ । ସେହି ସମୟରେ ୧୯୫୨ ମସିହାରେ ୪୮୯ ସିଟ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ କଂଗ୍ରେସ ୩୬୪ ଟି ସିଟ ପାଇ ବିଜୟୀ ହୋଇଥିଲା । ଦ୍ୱିତୀୟ ବୃହତ ଦଳ ଭାବରେ ସିପିଆଇ ରହିଥିଲା । ଲୋକସଭାରେ ସେମାନଙ୍କ ୧୬ ଜଣ ସାଂସଦ ଥିଲେ । ଏଥର ଲୋକସଭାରେ ବିଜେପିର ୨୪୦ ଜଣ ସାସଂଦ ଅଛନ୍ତି ଓ କଂଗ୍ରେସକୁ ଲୋକସଭାରେ ମୋଟ ୯୯ ଟି ସିଟ ମିଳିଛି । ଯାହା ୧୮ ତମ ଲୋକସଭାରେ କଂଗ୍ରେସ ପାଇଁ ୧୮ ପ୍ରତିଶତ ଅଟେ । ରାହୁଲଗାନ୍ଧୀ ବିରୋଧୀ ଦଳ ନେତା ଭାବରେ ନିଜକୁ ସଂସଦରେ ଦେଖିବାକୁ ଇଚ୍ଛା ମଧ୍ୟ ପ୍ରକାଶ କରୁ ନାହାନ୍ତି । ହେଲେବି ମୋଦୀଙ୍କ ଦୁଃଖ ଲାଘବ ହୋଇ ସାରିଛି । କାହିଁକିନା ସେ ବିରୋଧୀ ଦଳ ନେତା ପାଇବାକୁ ଯାଉଛନ୍ତି । ରାହୁଲ ନ ହେଲେ ଆଉ ତ କିଏ ହବ!

ତେବେ ପ୍ରଥମଥର ପାଇଁ ଲୋକସଭାରେ ନେତା ପ୍ରତିପକ୍ଷ ଭାବରେ ୧୯୬୯ ମସିହାରେ କଂଗ୍ରେସର ରାମ ସୁଭଗ ସିଂଙ୍କ ନାମକୁ ଉପସ୍ଥାପନା କରାଯାଇଥିଲା । ୧୯୭୭ ମସିହାରେ ସଂସଦର ଏକ ଅଧିନୟମ ଦ୍ୱାରା ପ୍ରତିପକ୍ଷ ନେତା ପଦକୁ ବୈଜ୍ଞାନିକ ଦର୍ଜା ମିଳିଥିଲା । ଯେଉଁଥିରେ ବିପକ୍ଷ ଦଳ ନେତା ପଦ ପାଇଁ ବିଶେଷାଧିକାର ଓ ବେତନ ଦାବି ପାଇଁ ନିମ୍ନତମ ଭାବରେ ସଦନର ଦଶ ଭାଗ ରହିବା ଆବଶ୍ୟକ । ସେହି ସମୟରେ କିନ୍ତୁ କଂଗ୍ରେସ ପାଖରେ ପାଞ୍ଚ ଭାଗ ଥିଲା ।

Get real time updates directly on you device, subscribe now.