ପୁରୀ: (ଓଡ଼ିଶା ଭାସ୍କର) ରଥ ଟାଣୁଥିଲେ ୪୨୦୦ କଳାବେଠିଆ । ଆଗରୁ ଏହି ମାନେ ଟାଣୁଥିଲେ ରଥ । ରଥ ଟାଣିବାକୁ ପହଞ୍ଚି ଯାଉଥିଲେ ହଜାର ହଜାର ସଂଖ୍ୟାରେ । ସେମାନଙ୍କୁ କୁହାଯାଉଥିଲା କଳାବେଠିଆ । ଏବେ ପିଚୁ ରାସ୍ତା ହୋଇଗଲାଣି । ରଥ ଏବେ ପୁରା ଚକ୍ ଚକ୍ ରାସ୍ତାରେ ଆରାମରେ ଗଡ଼ି ଯାଉଛି । ରଥର ଚକା ବି ଅଧିକ କ୍ଷତିଗ୍ରସ୍ତ ହେଉ ନାହିଁ । ଭକ୍ତ ମାନଙ୍କୁ ଅଧିକ ପରିଶ୍ରମ ବି କରିବାକୁ ପଡ଼ୁନି ରଥ ଟାଣିବାକୁ ନେଇ । କିନ୍ତୁ ଏତ ନୂଆ ଯୁଗର କଥା ।
ହେଲେ ଆମେ ଯଦି ଦେଶ ସ୍ୱାଧିନ ହେବା ପୂର୍ବର ରଥ ଟଣା କଥା କହିବା ତେବେ ସେତେବେଳେ ଏମିତି ପିଚୁ ରାସ୍ତା ନଥିଲା । ବଡ଼ଦାଣ୍ଡ ଖାଲି ବାଲି ଆଉ ମାଟିରେ ପରିପୂର୍ଣ୍ଣ ଥିଲା । ଯାହା ଉପରେ ରଥ ଟାଣିବା ବହୁତ କଷ୍ଟ ହୋଇପଡ଼ୁଥିଲା । ଚକା ବାଲିରେ ପୋତି ହୋଇଗଲେ ବହୁତ କଷ୍ଟରେ ଯାଇ ଗଡ଼ୁଥିଲା । ରଥ ଗଡ଼ିଲା ବେଳେ ଚକା ମୋଡ଼ି ହୋଇ ମଧ୍ୟ ଭାଙ୍ଗୁଥିଲା ଅଧା ରାସ୍ତାରେ । ଭକ୍ତ ମାନେ ରଥକୁ ଭଲ ଭାବରେ ଟାଣିପାରୁନଥିଲେ ।
ସେଥିପାଇଁ ଆଗରୁ ରଥ ଟାଣିବା ପାଇଁ ଶକ୍ତିଶାଳି କଳାବେଠିଆ ମାନଙ୍କୁ ନିୟୋଜିତ କରାଯାଉଥିଲା । ଏସିଆଟିକ୍ ରିସର୍ଚ୍ଚେସରେ ଲେଖା ଯାଇଥିବା ତଥ୍ୟ ମୁତାବିକ ୪ ହଜାର ୨ଶହ କଳାବେଠିଆ ରଥ ଟଣାରେ ନିୟୋଜିତ ହେଉଥିଲେ । ଯେଉଁମାନଙ୍କ ପାଖରେ ଥିଲା ପ୍ରବଳ ଶକ୍ତି । ବରକନ୍ଦାଜ ନାଲି ପତାକା ଯେଉଁ ଦିଗକୁ ଦେଖାଉଥିଲେ ସେହି ଦିଗକୁ ରଥ ଟାଣୁଥିଲେ ଏହିମାନେ । ଏହି କଳାବେଠିଆ ପୁରୀର ବିଭିନ୍ନ ସ୍ଥାନରେ ରହୁଥିଲେ ।
ଆଉ ରଥ ଟଣା ହେଲା ବେଳକୁ ଆସି ରଥଟଣାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ମାତ୍ର ଧିରେ ଧିରେ ସମୟର ବଡ଼ ଦାଣ୍ଡରୁ ବାଲି ହଟିଗଲା । ରାସ୍ତା ପୁରା ଚକ୍ ଚକ୍ ହେଲା । ରଥ ବଡ଼ଦାଣ୍ଡରେ ଭଲ ଗଡ଼ିବାକୁ ଲାଗି । ଆଉ ଏହି କଳାବେଠିଆ ପରମ୍ପରା ବିଲୁପ୍ତ ହୋଇଗଲା । ଏବେ ପୋଲିସ ଏବଂ ଭକ୍ତ ମାନଙ୍କ ଦ୍ୱରା ରଥ ଟଣା ହେଉଛି । ଯଦି ଦେଖିବା ତଥ୍ୟ ମୁତାବିକ ୪ହଜାର ୨ଶହ ବେଠିଆ ରଥ ଟଣାରେ ନିୟୋଜିତ ହେଉଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ୧ ହଜାର, ଶ୍ରୀବଳଭଦ୍ରଙ୍କ ରଥରେ ୧୨୦୦ ଜଣ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ୧୨୦୦ ବେଠିଆ ରଥ ଟଣା ପାଇଁ ନିୟୋଜିତ ହେଉଥିଲେ । ୧୯୦୨ ମସିହା ରେକର୍ଡ ଅନୁଯାୟୀ ତତ୍କାଳୀନ ରାଜାଙ୍କ ପକ୍ଷରୁ ୫ଶହ ବେଠିଆ ଦୈନିକ ୧ଟଙ୍କା ଲେଖାଏଁ ଖୋରାକ ନେଇ ରଥ ଟଣା କାର୍ଯ୍ୟରେ ନିୟୋଜିତ ହୋଉଥିଲେ । ବେଠିଆ ଶବ୍ଦର ଅର୍ଥ କୁଲି ବୋଲି ଇଂରାଜୀରେ ଉଲ୍ଲେଖ ରଖାଯାଇଛି ।