ଫେଲ ମାରିଲା Young India: ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେର ବୃହତ ବିଜୟ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଫେଲ ମାରିଛି ୟଙ୍ଗ ଟିମ୍ ଇଣ୍ଡିଆ । ଶୁଭମନ ଗିଲଙ୍କ ନେତୃତ୍ୱରେ ଆଇପିଏଲ ଷ୍ଟାର ୍େଲୟରଙ୍କ ଏହି ଯୁବ ଟିମକୁ ମାତ୍ ଦେଇଛି ଜିମ୍ବାୱେ । ସିରିଜର ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେ ଭାରତକୁ ୧୩ ରନରେ ପରାସ୍ତ କରିଛି । ଜିମ୍ବାୱେର ବୋଲିଂ ବିଭାଗ ଆଗରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ହୋମ ଗ୍ରାଉଣ୍ଡରେ ଜିମ୍ବାୱେର ସମସ୍ତ ବୋଲର ସଫଳତା ହାସଲ କରିଥିବା ବେଳେ ଭାରତ ପକ୍ଷରୁ ମାତ୍ର ୩ ଜଣ ଖେଳାଳି ୨ ଅଙ୍କ ଛୁଇଁ ପାରିଛନ୍ତି । ଫଳରେ ୧୧୫ ରନର ବିଜୟ ଲକ୍ଷ୍ୟରୁ ୧୩ ରନ୍ ଦୂରରେ ରହି ପରାଜୟ ବରଣ କରିଛି ଶୁଭମନ ସେନା ।

ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତକୁ ୧୧୬ ରନର ଲକ୍ଷ୍ୟ ଦେଇଥିଲା । କିନ୍ତୁ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଶୁଭମନ ସେନା । ୧୯.୫ ଓଭରରେ ମାତ୍ର ୧୦୨ ରନରେ ଅଲ ଆଉଟ ହୋଇ ପାଭିଲିୟନ୍ ଫେରିଛି ଟିମ ଇଣ୍ଡିଆ । ଭାରତ ପକ୍ଷରୁ କେବଳ ୩ ଜଣ କେଳାଳି ୨ ଅଙ୍କ ଛୁଇଁବାରେ ସଫଳ ହୋଇଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୩୧ ରନ୍ କରିଛନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଟିମ ଇଣ୍ଡିଆରେ ସୁଯୋଗ ପାଇଥିବା ଅଧିକାଂଶ ଖେଳାଳି ଏହି ମ୍ୟାଚରେ ଫେଲ ମାରିଛନ୍ତି । ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାଡଙ୍କ ସହିତ ରିଙ୍କୁ ସିଂହ ଏବଂ ରିୟାନ୍ ପରାଗ ମଧ୍ୟ ଏହି ମ୍ୟାଚରେ ନିରାଶ କରିଛନ୍ତି ।

ଅଭିଷେକ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିବା ବେଳେ ଋତୁରାଜ ମାତ୍ର ୭ ରନ୍ କରି ଆଉଟ ହୋଇଛନ୍ତିା ସେହିପରି ରିୟାନ୍ ପରାଗ ୨ ଏବଂ ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ ମଧ୍ୟ କୌଣସି ରନ୍ କରିବା ପୂର୍ବରୁ ପାଭିଲିୟନ୍ ଫେରିଛନ୍ତି । ତେବେ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ୩୩ ବଲରୁ ୨୭ ରନ୍ କରି ଆଉଟ ହୋଇଛନ୍ତି । ଏହାବ୍ୟତୀତ ଆଭେଶ ଖାନ୍ ମଧ୍ୟ ୧୨ ବଲରୁ ୧୬ ରନ୍ କରିଛନ୍ତି । କିନ୍ତୁ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ଏହି ମ୍ୟାଚ ହାତଛଡ଼ା କରିଛି ଟିମ ଇଣ୍ଡିଆ ।

ଅନ୍ୟପକ୍ଷରେ ଜିମ୍ବାୱେ ପକ୍ଷରୁ ୬ ଜଣ ବୋଲର ବୋଲିଂ କରିଥିବା ବେଳେ ସମସ୍ତ ବୋଲର ସଫଳତା ହାସଲ କରିଛନ୍ତି । ତେବେ ଟେଣ୍ଡାଇ ଚତାରା ଏବଂ ଅଧିନାୟକ ସିକନ୍ଦର ରଜା ୩ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଏହାବ୍ୟତୀତ ବ୍ରାୟନ୍ ବେନେଟ, ୱେଲିଂଟନ୍ ମସକଜାଦା, ବ୍ଲେସିଙ୍ଗ ମୁଜାରାବାନୀ ଏବଂ ଲ୍ୟୁକ୍ ଜଙ୍ଗୱେ ଗୋଟିଏ ଗୋଟିଏ ସଫଳତା ନିଜ ନାମରେ କରିଛନ୍ତି ।