fbpx

(Video) ମଞ୍ଚରେ ରାଷ୍ଟ୍ରପତି, ତଳେ ନବୀନ ପଟ୍ଟନାୟକ… ସଭାକୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶା ଦେଖିଲା ନୂଆ ଘଟଣା

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେଓଡ଼ିଶାବାସୀ ଦେଖିଛନ୍ତି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ଘଟଣା । ପ୍ରଥମ ଥର ନବୀନ ପଟ୍ଟନାୟକଙ୍କ ବିନା ହେଉଛି ସଭା । ରଥଯାତ୍ରାରେ ସାଧାରଣ ଜନତା ଭାବରେ ପହଞ୍ଚିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଞ୍ଚ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିବା ବେଳେ ପହଞ୍ଚିଥିଲେ ନବୀନ । ମଞ୍ଚ ନିକଟରେ ପହଞ୍ଚି ମଞ୍ଚାସୀନ ସମସ୍ତ ଅତିଥି ତଥା ରାଜ୍ୟର ବରିଷ୍ଠ ନେତାମାନଙ୍କୁ ନବୀନ ବାବୁ ପ୍ରଣାମ ଜଣାଇଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରୁ ଓହ୍ଲାଇ ଆସି ନବୀନଙ୍କୁ ସଭା ଉପରକୁ ପାଛୋଟି ନେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ୨୫ ବର୍ଷରେ ପ୍ରଥମ ଥର ନବୀନ ପଟ୍ଟନାୟକ ପୁରୀ ରଥଯାତ୍ରାକୁ କେବଳ ଜଣେ ସାଧାରଣ ଜନତା ଭାବରେ ପହଞ୍ଚିଛନ୍ତି ।

ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ଆଜି ବେଶ୍ ଚଳଚଞ୍ଚଳ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଗହଳି ଚହଳିରେ ଫାଟି ପଡୁଛି ବଡଦାଣ୍ଡ । ତେବେ ଏଥର ରଥଯାତ୍ରା ଦେଖିବା ପାଇଁ ପୁରୀରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ରାଜ୍ୟପାଳ, ବାଚସ୍ପତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ପବିତ୍ର ରଥଯାତ୍ରା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅଛନ୍ତି । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ରଥଯାତ୍ରା ଉପଲକ୍ଷେ ପୁରୀରେ ପହଞ୍ଚିଥିଲେ । ବଡଦାଣ୍ଡରେ ପହଞ୍ଚିବା ପରେ ପ୍ରଥମେ ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଣିପାତ କରିଥିଲେ ନବୀନ । ତିନି ଠାକୁର ତିନି ରଥରେ ବିଜେ ହୋଇସାରିଥିଲେ, କିନ୍ତୁ ସେତେବେଳକୁ ଛେରା ପହଁରା ଆରମ୍ଭ ହୋଇନଥିଲା ।

ଏହି ସମୟରେ ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ନବୀନ ମଞ୍ଚ ପାଖକୁ ଯାଇଥିଲେ । ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏବଂ ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ, ବିଧାନସଭା ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ମଧ୍ୟ ମଞ୍ଚାସୀନ ଥିଲେ । ଆଉ ଏହି ସମୟରେ ମଞ୍ଚ ଆଡକୁ ଆସିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନ ମଞ୍ଚ ପାଖରେ ପହଞ୍ଚି ସାରିଥିଲେ ମଧ୍ୟ ମଞ୍ଚ ଉପରକୁ ନଯାଇ ତଳେ ଠିଆ ହୋଇ ରହିଥିବାର ଦେଖିବାକୁ ମିଳିଥିଲା । ଆଉ ମଞ୍ଚ ତଳୁ ହିଁ ରାଷ୍ଟ୍ରପତି, ରାଜ୍ୟପାଳ ଓ ଅନ୍ୟ ମାନ୍ୟଗଣ୍ୟ ମାନଙ୍କୁ ନମସ୍କାର କରିଥିଲେ ନବୀନ ।

ଏହି ସମୟରେ ମଞ୍ଚାସୀନ ସମସ୍ତ ଅତିଥି ନବୀନଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଠିଆ ହୋଇପଡିଥିଲେ । ରାଷ୍ଟ୍ରପତି ଓ ରାଜ୍ୟପାଳ ନବୀନଙ୍କୁ ପ୍ରତିନମସ୍କାର ଜଣାଇବା ସହ ମଞ୍ଚ ଉପରକୁ ଡାକିଥିଲେ । ହେଲେ ନବୀନ କିନ୍ତୁ ସେଇଠି ତଳେ ରହି ସମସ୍ତଙ୍କ ସହ କଥା ହୋଇଥିଲେ । ଦେଖିଲେ ଲାଗୁଥିଲା, ଯେମିତି ସେ ମଞ୍ଚ ଉପରକୁ ଯିବା ପାଇଁ ଚାହୁଁନାହାଁନ୍ତି । ହେଲେ ଏହା ଦେଖି ମଞ୍ଚ ଉପରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଙ୍ଗେ ସାଙ୍ଗେ ଉପରୁ ତଳକୁ ଓହ୍ଲାଇ ଆସିଥିଲେ । ଆଉ ନବୀନଙ୍କ ପାଖରେ ପହଞ୍ଚି କିଛି କଥା ହୋଇଥିଲେ । ବୋଧହୁଏ ଏହି ସମୟରେ ନବୀନ ମଞ୍ଚ ଉପରକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲେ ବୋଲି ଅନୁମାନ କରାଯାଇପାରେ । କାରଣ ସେହି ତଳେ ଠିଆହୋଇ ସେ ଧର୍ମେନ୍ଦ୍ରଙ୍କ ସହ କିଛି ସମୟ କଥାବାର୍ତ୍ତା ହୋଇଥିଲେ । ତେବେ ଏହା ପରେ ଧର୍ମେନ୍ଦ୍ର ନବୀନଙ୍କ ହାତ ଧରି ମଞ୍ଚ ଉପରକୁ ନେଇଯାଇଥିଲେ । ଆଉ ମଞ୍ଚ ଉପରେ ପହଞ୍ଚିବା କ୍ଷଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବାଚସ୍ପତି ସୁରମା ପାଢୀ ନିଜ ଆସନରୁ ଉଠି ଠିଆ ହୋଇ ନବୀନଙ୍କୁ ନମସ୍କାର କରି ସ୍ୱାଗତ କରିଥିଲେ । ହେଲେ ନବୀନ ସେମାନଙ୍କୁ ବସିରହିବା ପାଇଁ ଇଙ୍ଗିତ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ଛିଡା ହୋଇ ନବୀନଙ୍କୁ ସ୍ୱାଗତ କରିଥିଲେ ।

ଏହା ପରେ ନମସ୍କାର ପ୍ରତିନମସ୍କାର ଆଦାନ ପ୍ରଦାନ ସହ ନବୀନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସୌଜନ୍ୟମୂଳକ କଥାବାର୍ତ୍ତା ହୋଇଥିଲେ । ଆଉ ରାଜ୍ୟପାଳ ରଘୁବର ଦାସ ମଧ୍ୟ ନବୀନଙ୍କୁ ସ୍ୱାଗତ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ ତାଙ୍କ ଆସନ ଆଡକୁ ବାଟ କଢେଇ ନେଉଥିବାର ଦେଖିବାକୁ ମିଳିଥିଲା । ଯାହାକୁ ମଞ୍ଚ ସାମ୍ନାରେ ଉପସ୍ଥିତ ହଜାର ହଜାର ଜନତା ଦେଖୁଥିଲେ । ରାଜନୀତି ମୈଦାନରେ ପରସ୍ପରର ତୀବ୍ର ବିରୋଧୀ ଥିଲେ ମଧ୍ୟ ବଡଦାଣ୍ଡରେ ମଞ୍ଚ ଉପରେ ସମସ୍ତେ ପରସ୍ପରକୁ ଶ୍ରଦ୍ଧା ଓ ସମ୍ମାନ ଦେଖାଇବାରେ ସାମାନ୍ୟ କୁଣ୍ଠାବୋଧ କରିନଥିଲେ । ରଥଯାତ୍ରାରେ ରାଜନେତାମାନଙ୍କ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ନିଆରା ଥିଲା । କାରଣ ଏହା ପୂର୍ବରୁ ପୁରୀ ବଡଦାଣ୍ଡରେ ଏଭଳି ଦୃଶ୍ୟ ବା ଘଟଣା ହୁଏତ କେହି କେବେ ଦେଖିନଥିବେ ।

Get real time updates directly on you device, subscribe now.