ଓଡ଼ିଶା ଭାସ୍କର: ପାଠପଢା ହେଉ କି ଚାକିରି, ଘର ଛାଡ଼ି ବାହାରେ ରହୁଥିବା ଲୋକମାନଙ୍କୁ ଭଡ଼ାଘର ହିଁ ସାହା ଭରଷା । ବର୍ତ୍ତମାନ ସମୟରେ ଘରଭଡ଼ା ମହଙ୍ଗା ହେବା ପରେ ଏମାନଙ୍କ ଚିନ୍ତା ବଢିବାରେ ଲାଗିଛି । ଅନେକ ସମୟରେ ଘରଭଡ଼ା ଦେଇ ନ ପାରିବାରୁ ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳେ । କିନ୍ତୁ ଏବେ ଏହି ଟେନସନରୁ ମୁକ୍ତି ପାଇବେ ଭଡ଼ାଟିଆ । ଘର ଭଡ଼ା ଦେବାକୁ ଅସମର୍ଥ ହେଉଥିବା ଭଡ଼ାଟିଆଙ୍କ ପାଇଁ ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜଣେ ବ୍ୟକ୍ତି ଘରଭଡ଼ା ଦେଇ ନ ପାରିଲେ, ଏଥିପାଇଁ ଘର ମାଲିକ ମାମଲା ରୁଜୁ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।
ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଘରଭଡ଼ା ଏବଂ ଭଡ଼ାଟିଆଙ୍କୁ ନେଇ ଏକ ବଡ଼ ରାୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଜଣେ ଭଡ଼ାଟିଆ ଘର ଭଡ଼ା ଦେବାକୁ ଅସମର୍ଥ, ତେବେ ଏହାକୁ ଏକ ଅପରାଧ ବୋଲି କୁହାଯାଇପାରିବ ନାହିଁ । ଆଇପିସିରେ ଏହାକୁ ନେଇ କୌଣସି ଦଣ୍ଡବିଧାନ ନାହିଁ । ତେଣୁ ଆଇପିସି ଅଧୀନରେ ଭଡ଼ାଟିଆଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୟ ଖାନ୍ନା ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି ।
ସୂଚନା ଅନୁସାରେ, ଭଡ଼ାଟିଆଙ୍କ ଉପରେ ଜଣେ ଜମି ମାଲିକ ଭଡ଼ା ନ ଦେବାରୁ ମାମଲା ରୁଜୁ କରିଥିଲେ । ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଭଡ଼ାଟିଆ ଘର ଭଡ଼ା ଦେବାକୁ ଅସମର୍ଥ ଥିବାରୁ ତାଙ୍କୁ ଅପରାଧୀ ବୋଲି ବିବେଚନା କରାଯାଇ ପାରିବ ନାହିଁ । ତେବେ ଅଭିଯୋଗରେ ଦିଆ ଯାଇଥିବା ସମସ୍ତ ତଥ୍ୟ ସତ ଏବଂ ଭିତ୍ତିଯୁକ୍ତ ହୋଇଥିଲେ ମଧ୍ୟ ଏହାକୁ ଅପରାଧ ବୋଲି କୁହାଯିବ ନାହିଁ । ଭଡ଼ା ଦେଇ ନଥିଲେ, ଆଇପିସି ଧାରା ଅନୁଯାୟୀ ଘର ମାଲିକ ଏକ ମାମଲା ରୁଜୁ କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏହାସହିତ କୋର୍ଟ ଏହି ମାମଲାକୁ ଖାରଜ କରିଛନ୍ତି ।