fbpx

ଆଗକୁ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ଲୋକସଭା ନିର୍ବାଚନରେ ଝଟକା ଖାଇବା ପରେ ବିଜେପି ବଦଳାଉଛି ରଣନୀତି?

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ଯଦିଓ ବିଜେପି ନେତୃତ୍ୱରେ ଏନଡିଏ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା, ତଥାପି ଭାଜପାକୁ ଲାଗିଥିଲା ଏକ ବଡ଼ ଝଟକା । ବହୁମତ ଠାରୁ ବହୁ ପଛରେ ରହିଯାଇଥିଲା ଭାଜପା । ବିଜେପି ଏକାକୀ ୨୪୦ଟି ଆସନରେ ଜିତିବା ସହ ଜେଡିୟୁ ଓ ଟିଡିପି ସହଯୋଗରେ କେନ୍ଦ୍ରରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା । ତେବେ ଚଳିତ ଥର କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ବେଶ୍ ସଫଳତା ପାଇଥିଲା । କଂଗ୍ରେସ ମଧ୍ୟ ଏଥର ଗତ ଥର ଅପେକ୍ଷା ଡବଲ୍ ସିଟ୍ ହାତେଇଛି ।

ତେଣୁ ବିଜେପିର ଆଗାମୀ ପଥ ନିଶ୍ଚିତ ଭାବେ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆକଳନ କରାଯାଉଛି । ସେହିପରି ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନ ଓ ଉପନିର୍ବାଚନରେ ବିଜେପିକୁ ଝଟକା ଲାଗିଥିଲା । ଆଗାକୁ ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ, ବିହାର, ଜମ୍ମୁ କଶ୍ମୀର ଆଦି ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବ । ତେଣୁ ଏହି ସମସ୍ତ ରାଜ୍ୟରେ ସରକାର ଗଢ଼ିବା ବିଜେପି ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ । ତେବେ ସମୟ ବଦଳିବା ସହିତ ଜନତାଙ୍କ ମୁଡ଼ ବଦଳିବାରେ ଲାଗିଛି । ତେଣୁ ଭୋଟରଙ୍କୁ ନିଜ ପକ୍ଷରୁ ଆକୃଷ୍ଟ କରିବା ପାଇଁ ବିଜେପି ଏବେ ତା’ର ରଣନୀତି ବଦଳାଇଥିବା ଦେଖାଯାଉଛି ।

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏବେ ମହିଳା, କୃଷକ, ଯୁବକଙ୍କ ହିତ ପାଇଁ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଉଥିବା ଦେଖାଯାଉଛି । ଦଳ ମହାରାଷ୍ଟ୍ର ଠାରୁ ଆରମ୍ଭ କରି ହରିୟାଣା ପରି ନିର୍ବାଚନୀ ରାଜ୍ୟରେ ନୂଆ ରଣନୀତି ଆଧାରରେ କାମ କରୁଥିବା ଦେଖାଯାଉଛି । ଏଥିସହିତ କ୍ଷେତ୍ରୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସଶକ୍ତ କରିବା ପାଇଁ ଦଳ ପ୍ରୟାସ କରୁଛି । ଦଳ ସାମାଜିକ ଓ ଆଥିର୍କ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ସହିତ ପାର୍ଟିର ହାଇକମାଣ୍ଡ ଆନ୍ତରିକ ଭାବେ ସମୀକ୍ଷା କରୁଛନ୍ତି । ବିଜେପି ନିଜର ସନ୍ଦେଶ ଓ ପ୍ରଚାର ଢାଞ୍ଚାରେ ସୁଧାର ଆଣିବାକୁ ପ୍ରୟାସ କରୁଛି ।

ଦଳ ଗତ ଲୋକସଭା ନିର୍ବାଚନରେ ୪୦୦ ପାର୍ ନାରା ଦେଇଥିବା ବେଳେ ମାତ୍ର ୨୪୦ରେ ଅଟକି ଯାଇଥିଲା । ବିଶେଷ କରି ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ଦଳ ମାତ୍ର ୩୩ଟି ଆସନରେ ସୀମିତ ରହିଯାଇଥିଲା । ଏହା ମଧ୍ୟରେ ୟୁପି ବିଜେପି ମୁଖ୍ୟ ଭୂପେନ୍ଦ୍ର ଚୌଧୁରୀ ଦଳର ହାଇକମାଣ୍ଡଙ୍କୁ ସାକ୍ଷାତ କରି ୧୫ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରଦାନ କରିଛନ୍ତି । ୪୦ ହଜାର କାର୍ଯ୍ୟକର୍ତ୍ତାଙ୍କ ଫିଡବ୍ୟାକ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଅସନ୍ତୋଷ ଓ ପ୍ରଶାସନର ମନମୁଖୀ କାର୍ଯ୍ୟ ହିଁ ପରାଜୟର ପ୍ରମୁଖ କାରଣ ବୋଲି ସେଥିରେ ଉଲ୍ଲେଖ କରାଯାଇଛି ।

ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଓବିସି ଉପରେ ଫୋକସ୍ କରିଛି । କିଷାନ ଓ ଜାଟ ଭୋଟର୍ସ ବିଜେପି ଉପରେ ଅସନ୍ତୋଷ ରହିଥିବା କୁହାଯାଉଛି । ତେଣୁ ଏପରି ସ୍ଥିତିରେ ବିଜେପି ଅଣ ଜାଟ ପଲିଟିକ୍ସ ଉପରେ ଭରସା କରିଛି । ଓବିସି ସମ୍ପ୍ରଦାୟର ନେତାଙ୍କୁ ବଡ଼ ଦାୟିତ୍ୱ ଦିଆଯିବା ସହ ଭିଜନ ଉପରେ ସ୍ପଷ୍ଟ କରାଯାଇଛି । ଦଳ କୌଣସି ସମ୍ପ୍ରଦାୟର ଭୋଟରଙ୍କୁ ନିରାଶ କରିବାକୁ ଚାହୁଁନାହିଁ । ସେଥିପାଇଁ କୃଷକ ଓ ଜାଟଙ୍କୁ ଖୁସି କରିବା ପାଇଁ ପ୍ରୟାସ କରାଯାଉଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ‘ସବକା ସାଥ ସବକା ବିକାଶ’ ପରି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାରା ବୋଲି ସେ ସ୍ପଷ୍ଟ କରିଛନ୍ତି । ସେହିପରି ଯୁବ ଓ ମହିଳାଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ମହାରାଷ୍ଟ୍ର ସରକାର ମଧ୍ୟପ୍ରଦେଶ ସରକାରଙ୍କ ଯୋଜନାକୁ ଲାଗୁ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ‘ଲଡ଼କୀ ବହିନ ଯୋଜନା’ ଆରମ୍ଭ କରିଛନ୍ତି । ସେହିପରି ଶିନ୍ଦେ ସରକାର ବେରୋଜଗାର ଯୁବବର୍ଗଙ୍କ ପାଇଁ ‘ଲଡ଼କା ଭାଈ’ ଯୋଜନାର ଘୋଷଣା କରିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ବିଜେପି ନୂଆ ରଣନୀତି ଉପରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି ।

Get real time updates directly on you device, subscribe now.